ଗୁଜରାଟ: ଦେଶରେ କୋରୋନା ଭାଇରସ୍ ଆତଙ୍କ ଲୋକଙ୍କ ମନରୁ ଲିଭି ମ ଥିବା ବେଳେ ଆଉ ଏକ ମାରାତ୍ମକ ଭୂତାଣୁ ଆତଙ୍କ ଖେଳାଇଛି । ଗୁଜୁରାଟରେ ଚାନ୍ଦିପୁରା ଭାଇରସ୍ ବ୍ୟାପିବାରେ ଲାଗିଛି । ରାଜ୍ୟରେ ଗତ ପାଞ୍ଚ ଦିନ ମଧ୍ୟରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏନେଇ ଗୁଜରାଟ ସ୍ଵାସ୍ଥ୍ୟମନ୍ତ୍ରୀ ଋଷିକେଶ ପଟେଲ ସୂଚନା ଦେଇଛନ୍ତି । ମୃତକ ସମସ୍ତ ଶିଶୁ ସାବରକାନ୍ତି ଜିଲ୍ଲା ଓ ଅରବାଲିର ବୋଲି ସ୍ଵାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।
ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ , ଗତ ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ଚାନ୍ଦିପୁରା ଭୁତାଣୁ ସନ୍ଦେହରେ ୬ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ଏଯାବତ ପ୍ରାୟ ୧୨ଜଣ ଏହି ଭୂତାଣୁ ଦ୍ୱାରକ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଚାରିଜଣ ସାବରକାନ୍ତି ଜିଲ୍ଲାର, ତିନିଜଣ ଅରବାଲି, ଜଣେ ମହୀସାଗର ଓ ଖେଡାରର ଅଟନ୍ତି । ଚାନ୍ଦିପୁରା ଭୂତାଣୁର ଲକ୍ଷଣ ସାମାନ୍ୟ ହେଲେ ବି ଏଥିରେ ମାରାତ୍ମକ ଜ୍ୱର ହେଉଛି । ଯାହା ଫ୍ଲୁ ଭଳି ଲକ୍ଷଣ ଏବଂ ତୀବ୍ର ଏନସେଫାଲାଇଟିସ୍ ସହିତ ହୋଇଥାଏ । ଏହା ମଶା ଏବଂ ମାଛି ଇତ୍ୟାଦି ଦ୍ୱାରା ସଂକ୍ରମିତ ହୋଇଥାଏ ।
ରାଜ୍ୟରେ ଏହି ଭୂତାଣୁ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ପଟେଲ କହିଛନ୍ତି । ମାତ୍ର ରକ୍ତ ନମୁନା ପରୀକ୍ଷା ଫଳାଫଳ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ସମସ୍ତ ୧୨ଟି ନମୁନା ପୁନେର ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିକୁ ପଠାଯାଇଛି । ପ୍ରଭାବିତ ଅଞ୍ଚଳରେ ନଜର ରଖାଯାଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ସୂଚନା ଯୋଗ୍ୟ, ୧୯୬୬ ମସିହାରେ ମହାରାଷ୍ଟ୍ରରେ ପ୍ରଥମେ ଏହି ଭୂତାଣୁ ଦେଖା ଦେଇଥିଲା । ନାଗପୁରର ଚାନ୍ଦିପୁରାରେ ଏହି ଭୂତାଣୁକୁ ଚିହ୍ନଟ କରାଯାଇ ଥିଲା । ସେଥିପାଇଁ ତାହାର ଏପରି ନାମ କରଣ କରାଯାଇ ଥିଲା ।