ମୁମ୍ବାଇ: ମହାରାଷ୍ଟ୍ରର ସମ୍ଭାଜୀନଗର ଜିଲ୍ଲାରେ ଅବସ୍ଥିତ ଔରଙ୍ଗଜେବଙ୍କ ସମାଧିକୁ ନେଇ ବଡ଼ ବିବାଦ ଆରମ୍ଭ ହୋଇଯାଇଛି । ଔରଙ୍ଗଜେବଙ୍କ ସମାଧିସ୍ଥଳକୁ ହଟାଇବା ପାଇଁ ବଜରଙ୍ଗ ଦଳ ଏବଂ ବିଶ୍ୱ ହିନ୍ଦୁ ପରିଷଦ ଦାବି କରିଛି । ଯେଉଁଥିପାଇଁ ସମାଧି ସ୍ଥଳର ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ବଜରଙ୍ଗ ଦଳ ଏବଂ ବିଏଚପି କହିଛି ଯେ ଛତ୍ରପତି ସମ୍ଭାଜୀନଗରର ଖୁଲଦାବାଦରେ ଅବସ୍ଥିତ ଔରଙ୍ଗଜେବଙ୍କ ସମାଧି ଏକ ବିଭାଜନକାରୀ ପ୍ରତୀକ ଅଟେ । ଏହି ସାମ୍ପ୍ରଦାୟିକ ବିଦ୍ୱେଷକୁ ପ୍ରୋତ୍ସାହିତ କରୁଛି । ତେଣୁ ଏହାକୁ ହଟା ଯିବା ନିହାତି ଆବଶ୍ୟକ । ଉଭୟ ଗୋଷ୍ଠୀ ମହାରାଷ୍ଟ୍ରର ସମସ୍ତ ତହସିଲ ଏବଂ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିବାକୁ ଯୋଜନା କରିଛି । ସେପଟେ ସମାଧି ନିକଟରେ ଲୋକଙ୍କ ସିଧାସଳକ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଯଦି ବିକ୍ଷୋଭକାରୀ ସମାଧି ନିକଟରେ ପହଁଚିଯାଆନ୍ତି ତେବେ ପରିସ୍ଥିତି ଅଣାୟତ ହୋଇ ପଡ଼ିବ । ସେଥିପାଇଁ ସେହି ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯିବା ସହିତ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଉକ୍ତ ସମାଧିସ୍ଥଳକୁ ନେଇ ଅନେକ ରାଜନୈତିକ ବୟାନବାଜି ମଧ୍ୟ ଆରମ୍ଭ ହୋଇଯାଇଛି । ଔରଙ୍ଗଜେବଙ୍କ ସମାଧି ଭାଙ୍ଗି ଦେବା ଉଚିତ ବୋଲି ଅନେକ ନେତୃବୃନ୍ଦ ମତବ୍ୟକ୍ତ କରିଛନ୍ତି । ମହାରାଷ୍ଟ୍ର ମାଟିରେ ତାଙ୍କ ପାଇଁ କୌଣସି ସ୍ଥାନ ନାହିଁ ବୋଲି କହିଛନ୍ତି । ବିଜେପି ବିଧାୟକ ରାମ କଦମ ପୂର୍ବତନ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଉପରେ ବର୍ଷିଛନ୍ତି । ଔରଙ୍ଗଜେବଙ୍କ ଗୁଣଗାନ କରିବାକୁ ଲୋକଙ୍କୁ ଅନୁମତି ଦେଇଥିଲେ । ସେଥିପାଇଁ କିଛି ଲୋକ ଆକ୍ରମଣକାରୀ ଔରଙ୍ଗଜେବଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଏହା ସବୁ ଉଦ୍ଧବ ଠାକରେଙ୍କ କାର୍ଯ୍ୟକାଳ ସମୟରେ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।