ନୂଆଦିଲ୍ଲୀ: ରୋହିଙ୍ଗ୍ୟା ସମୁଦାୟ ସଂପର୍କିତ ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ର ସରକାର ଓ ଆବେଦନକାରୀଙ୍କୁ କଡା ପ୍ରଶ୍ନ ପଚାରିଛନ୍ତି । ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ରୋହିଙ୍ଗ୍ୟାଙ୍କ ଆଇନଗତ ସ୍ଥିତି ସ୍ଥିର ନ କରିବା ପର୍ଯ୍ୟନ୍ତ ସେମାନଙ୍କର ଅଧିକାର ଉପରେ କୌଣସି ଆଲୋଚନା ହୋଇ ପାରିବ ନାହିଁ । କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, କଣ ଭାରତ ସରକାର କେବେ ସେମାନଙ୍କୁ ଶରଣାର୍ଥୀ ଘୋଷିତ କରିଛନ୍ତି । ସିଜେଆଇ ସୂର୍ଯ୍ୟକାନ୍ତ କଡା ଶବ୍ଦରେ ପ୍ରଶ୍ନ କରିଛନ୍ତି ଯେ, କଣ ଅନୁପ୍ରବେଶକାରୀଙ୍କ ପାଇଁ ରେଡ୍ କାର୍ପେଟ୍ ବିଛାଇବୁ ?
ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲା ବାଗଚୀଙ୍କ ପୀଠ ଏକ ପିଟିସନ ଉପରେ ଶୁଣାଣି କରି ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ପିଟିସନରେ ଅଭିଯୋଗ କରାଯାଇଛି ଯେ, ମେ ମାସରେ ଦିଲ୍ଲୀ ପୋଲିସ କିଛି ରୋହିଙ୍ଗ୍ୟା ବ୍ୟକ୍ତିଙ୍କୁ ଅଟକ ରଖିଥିଲା । ଏହା ପରେ ସେମାନଙ୍କର କୌଣସି ଖୋଜଖବର ନାହିଁ । ଏହା ସହିତ ପିଟିସନରେ ଦାବି କରାଯାଇଛି ଯେ, ଯଦି ସେମାନଙ୍କୁ ଦେଶରୁ କାଢିବାର ଅଛି ତେବେ ଏହା ଆଇନଗତ ପ୍ରକ୍ରିୟାରେ ହେବା ଉଚିତ୍ ।
ଲାଇଭ ଲର ରିପୋର୍ଟ ଅନୁଯାୟୀ, ଶରଣାର୍ଥୀ ଏକ ପରିଭାଷିତ ଶବ୍ଦ । ଯଦି କୌଣସି ବ୍ୟକ୍ତି ବେଆଇନ ଭାବେ ଅନୁପ୍ରବେଶ କରେ । ତେବେ କଣ ଆମେ ତାଙ୍କୁ ନିଜ ଦେଶରେ ରଖିବାକୁ ବାଧ୍ୟ । ପୀଠ ପଚାରିଛନ୍ତି, ଯଦି କାହାର ଆଇନଗତ ମାନ୍ୟତା ନାହିଁ ତେବେ ସେମାନେ ଅନୁପ୍ରବେଶକାରୀ । ତେବେ କଣ ଆମେ ସେମାନଙ୍କୁ ଏଠି ରଖିବା । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ସେମାନଙ୍କ ପାଖରେ ଭାରତରେ ରହିବାକୁ ଆଇନଗତ ଅଧିକାର ନାହିଁ, ତେବେ ସେମାନଙ୍କୁ ଅନୁପ୍ରବେଶକାରୀ କୁହାଯିବ । କଣ ସେମାନଙ୍କ ପାଇଁ ସୀମାରେ ରେଡ୍ କାର୍ପେଟ୍ ବିଛାଇ ସ୍ୱାଗତ କରିବୁ । ପିଟିସନକାରୀଙ୍କ ଓକିଲ ସ୍ପଷ୍ଟ କରିଛନ୍ତି ଯେ, ସେମାନେ ରୋହିଙ୍ଗ୍ୟାଙ୍କ ପାଇଁ ଶରଣାର୍ଥୀ ମାନ୍ୟତା ଦାବି କରୁନୁ । କେବଳ ଗୋଟିଏ ଦାବି ସେମାନଙ୍କ ନିର୍ବାସନ ପ୍ରକ୍ରିୟା ଆଇନଗତ ପ୍ରକ୍ରିୟାରେ କରାଯାଉ ।
ଅନୁପ୍ରବେଶ କରିବେ, ପୁଣି ଅଧିକାର ମାଗିବେ ?
ଏହା ଉପରେ ସିଜେଆଇ କଡା ଟିପ୍ପଣୀ କରି କହିଛନ୍ତି ଯେ, ପ୍ରଥମେ ଆପଣ ଅନୁପ୍ରବେଶ କରିବେ । ସୁଡଙ୍ଗ ଖୋଦି କିମ୍ବା ବାଡ କାଟି ଭାରତରେ ପ୍ରବେଶ କରିବେ । ପୁଣି କହିବେ ଆମେ ଚାଲି ଆସିଛୁ, ଏଥିପାଇଁ ଭାରତର ଆଇନ ମୋ ଉପରେ ଲାଗୁ କରାଯାଉ । ମୋତେ ଖାଇବା ଏବଂ ରହିବାକୁ ଜାଗା ଦିଆଯାଉ । ପିଲାଙ୍କୁ ଶିକ୍ଷା ମିଳୂ । କଣ ଆମେ ଆଇନକୁ ଏହିପରି ଭାବେ ଟାଣିବାକୁ ଚାହିଁବା ? ସିଜେଆଇ କହିଛନ୍ତି, ଭାରତରେ ପୂର୍ବରୁ ମଧ୍ୟ କୋଟି କୋଟି ଗରିବ ନାଗରିକ ଅଛନ୍ତି, ଯାହାଙ୍କ ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । କିନ୍ତୁ ସିଜେଆଇ ଗୋଟିଏ କଥା ସ୍ପଷ୍ଟ କରିଛନ୍ତି ଯେ, ଯେ କେହି ବି ଅନୁପ୍ରବେଶ କରି ଭାରତ ଆସିଛନ୍ତି, ସେମାନଙ୍କୁ ପ୍ରତି ଥାର୍ଡ ଡିଗ୍ରୀର ଟର୍ଚର କରା ନ ଯାଉ ।
Also read: ଡିଲିଟ୍ କରି ପାରିବେ ସଞ୍ଚାର ସାଥୀ ଆପ୍, ରଖିବା ବି ଜରୁରୀ ନୁହେଁ; କେନ୍ଦ୍ର ସରକାରଙ୍କ ବଡ ଘୋଷଣା