ନୂଆଦିଲ୍ଲୀ: ପାକିସ୍ତାନ ଓ ସାଉଦି ଆରବ ମଧ୍ୟରେ ପ୍ରତିରକ୍ଷା ରାଜିନାମା ଭାରତ ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ । ଦୁଇ ଦେଶ ଏକ ରାଜିନାମା ଉପରେ ଦସ୍ତଖତ କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, କୌଣସି ଗୋଟିଏ ଦେଶ ଉପରେ ହମଲା ହେଲେ ଦ୍ୱିତୀୟ ଉପରେ ହମଲା ହୋଇଛି ବୋଲି ବିବେଚନା କରାଯିବ । ବିଶେଷଜ୍ଞଙ୍କ ମତରେ ଭାରତ ଦୃଷ୍ଟିକୋଣରୁ ଏହି ରାଜିନାମା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି ।
ନାଟୋର ଆର୍ଟିକିଲ ୫ରେ ମଧ୍ୟ ଏହି ଧରଣର ରାଜିନାମା କରାଯାଏ । ଯେ କୌଣସି ଗୋଟିଏ ଦେଶ ଉପରେ ହମଲା ହେଲେ ପୂରା ନାଟୋ ଗ୍ରୁପ ଉପରେ ହମଲା ହୋଇଛି ବୋଲି ବିବେଚନା କରାଯାଏ । କୁହାଯାଉଛି ପାକିସ୍ତାନ ସାଉଦି ଆରବ ସହ ଏହି ଚୁକ୍ତିନାମା କରି ଭାରତ ବିରୋଧରେ ବଡ ଚାଲ ଖେଳିଛି । ହେଲେ ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଏହା ଉପରେ ବୁଲେଇ ବଙ୍କେଇ ଜବାବ ଦେଇଛନ୍ତି ।
ପାକ୍ ପ୍ରତିରକ୍ଷା ମନ୍ତ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ପାରସ୍ପରିକ ସହଯୋଗର ରାଜିନାମା । ତାଙ୍କୁ ପ୍ରଶ୍ନ ହୋଇଥିଲା ଯେ, ଯଦି ଭାରତ ପାକିସ୍ତାନ ଉପରେ ହମଲା କରେ ତେବେ କଣ ସାଉଦି ଆରବ ପାକିସ୍ତାନ ପକ୍ଷରୁ ସାମିଲ ହେବ ? ଏହା ଉପରେ ଖ୍ୱାଜା ଆସିଫ କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ହେଲେ ସେ ଏହି ସମୟରେ କୌଣସି ଦେଶର ନାଁ ନେଇ ନ ଥିଲେ ।
ଖ୍ୱାଜା ଆସିଫ କହିଛନ୍ତି, ଆକ୍ରମଣ କାହା ଉପରେ ହେଉ କିମ୍ବା କୌଣସି ପକ୍ଷରୁ ହେଉ ଜବାବ ମିଶି କି ଦିଆଯିବ । ଏହା କୌଣସି ପ୍ରକାରର ଆକ୍ରମଣ ପାଇଁ ରାଜିନାମା ନୁହେଁ ବରଂ ରକ୍ଷା ପାଇଁ କରାଯାଇଛି । ଏହି ରାଜିନାମାର ବ୍ୟବହାର କୌଣସି ଦେଶ ବିରୋଧରେ ଆକ୍ରାମକ ଭାବେ କରାଯିବ ନାହିଁ । ଯଦି କୌଣସି ଦେଶ ପାଇଁ ବଡ ଚ୍ୟାଲେଞ୍ଜ ଆସେ ତେବେ ମିଶି କି ଏହାର ମୁକାବିଲା କରାଯିବ । ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନର ଆଣବିକ ଅସ୍ତ୍ରଶସ୍ତ୍ରକୁ ସାଉଦି ଆରବ ବ୍ୟବହାର କରି ପାରିବ ।
ସାଉଦି ଆରବର ଜଣେ ଅଧିକାରୀଙ୍କୁ ଯେବେ ଏହି ବିଷୟରେ ପ୍ରଶ୍ନ କରାଗଲା ସେ କହିଛନ୍ତି ଯେ,ଏହା ଏକ ପ୍ରକାରର ମିଳିତ ରାଜିନାମା । ଏହାର ଅର୍ଥ କେବଳ ଯୁଦ୍ଧ ନୁହେଁ ବରଂ ଅନ୍ୟ ପ୍ରକାରର ପାରସ୍ପରିକ ସହଯୋଗ ବି ରହିଛି । ଏଥିରେ ପ୍ରତିରକ୍ଷା ବୁଝାମଣା ମଧ୍ୟ ସାମିଲ ।
Also read: ସେପ୍ଟେମ୍ବର ୨୨ ପରେ କିଣନ୍ତୁ ଏହି ସାମାନ, ଲାଗିବ ୦ ପ୍ରତିଶତ ଜିଏସଟି, ମିଳିବ ଶସ୍ତାରେ