ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପୂର୍ବତନ ତଥା ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ପହଲଗାମ ହମଲାକୁ ନେଇ ପାକିସ୍ତାନ ସହ ବଢିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଖୁବ ସମର୍ଥନ କରିଛନ୍ତି । ଏହା ସହିତ ଫାରୁକ ଅବଦୁଲ୍ଲା କଂଗ୍ରେସର ଗାଏବ ବୟାନ ଉପରେ ମଧ୍ୟ କଡା ଟିପ୍ପଣୀ କରିଛନ୍ତି ।
ପହଲଗାମରେ ଆତଙ୍କୀ ହମଲାକୁ ନେଇ ଫାରୁକ ପାକିସ୍ତାନକୁ କଡା ଚେତାବନୀ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆମର ପୂରା ସମର୍ଥନ ରହିଛି । ତାଙ୍କୁ ଏମିତି ସ୍ଥିତିରେ ପ୍ରଶ୍ନ କରିବା ଉଚିତ୍ ନୁହେଁ । ପ୍ରଧାନମନ୍ତ୍ରୀଙ୍କୁ ଯାହାବି କରିବାର ତାଙ୍କୁ କରିବା ଉଚିତ୍ ।
ଅନ୍ୟପଟେ ପାକିସ୍ତାନ ଭାରତକୁ ବାରମ୍ବାର ପରମାଣୁ ଆକ୍ରମଣର ଧମକ ଦେଉଛି । ଏହାର ଜବାବରେ ଏହି ବରିଷ୍ଠ ନେତା ଭାରତର କ୍ଷମତାକୁ ନେଇ ପାକିସ୍ତାନକୁ ମନେ ପକାଇ ଦେଇଛନ୍ତି । ସେ କହିଛନ୍ତି ଆମ ପାଖରେ ବି ପରମାଣୁ ଶକ୍ତି ରହିଛି । କିନ୍ତୁ ଭାରତ କେବେ ପ୍ରଥମେ କାହା ଉପରେ ଆକ୍ରମଣ କରି ନାହିଁ । ପାକିସ୍ତାନ ପୂର୍ବରୁ ଆମ ଉପରେ ହମଲା କରିଛି । ଆଉ ଏହା ପରେ ଆମେ ମୁହଁତୋଡ ଜବାବ ଦେଇଛୁ । ଆଜି ବି ଆମେ ପରମାଣୁ ଅସ୍ତ୍ର ଶସ୍ତ୍ର ବ୍ୟବହାର କରିବୁ ନାହିଁ । ଯଦି ପାକିସ୍ତାନ ଆଣବିକ ଅସ୍ତ୍ର ଶସ୍ତ୍ର ପ୍ରୟୋଗର ଦୁଃସାହାସ କରେ ତେବେ ଏହାର ଭୟଙ୍କର ପରିଣତି ଭୋଗିବାକୁ ପଡିବ ।
କଂଗ୍ରେସ ଦ୍ୱାରା ପିଏମ ମୋଦୀ ଗାଏବ ରହିବା ସମାଲୋଚନା ଉପରେ ଫାରୁକ କହିଛନ୍ତି, ଆରେ ସେ କୁଆଡେ ଗାଏବ ହେଲେ । ସେ ତ ଦିଲ୍ଲୀରେ ଅଛନ୍ତି । ଏମିତି ସମୟରେ କଂଗ୍ରେସକୁ ଏମିତି ରାଜନୀତି କରିବା ଉଚିତ୍ ନୁହେଁ । ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ ନିଜର ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦୀଙ୍କ ମୁଣ୍ଡ ବିହୀନ ଶରୀର ପୋଷ୍ଟ କରି ଗାଏବ ବୋଲି ଲେଖିଥିଲା । ଏହାକୁ ସାରା ଦେଶରେ ରାଜନୀତି ସରଗରମ ରହିଥିଲା । କିନ୍ତୁ ପରେ କଂଗ୍ରେସ ଏହାକୁ ଏକ୍ସରୁ ହଟାଇ ଦେଇଥିଲା ।