କେବେ ଭାଙ୍ଗିବ ମାଓ ଗଡ଼? ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ତାଲିକାରେ ସାମିଲ ହେଲା ଓଡ଼ିଶାର ଆଉ ୨ ଜିଲ୍ଲା
Khabar Odisha:When-will-the-Mao-stronghold-be-demolished-Two-other-districts-in-Odisha-were-included-in-the-list-of-Naxal-affected-districts

କୋରାପୁଟ, ଜୁଲାଇ ୨୮ (ଖବର ଓଡ଼ିଶା): ଓଡ଼ିଶାରେ ଲାଲ ବାହିନୀଙ୍କ ଉପଦ୍ରବ କମିଥିବା ରାଜ୍ୟ ସରକାର କହୁଥିବା ବେଳେ ରାଜ୍ୟ ସରକାରଙ୍କ ପାରିବା ପଣିଆକୁ ଆଇନା ଦେଖାଇଛନ୍ତି କେନ୍ଦ୍ର ସରକାର । ଦେଶର ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ତାଲିକାରେ ସାମିଲ ହୋଇଛି ଓଡ଼ିଶାର ଆଉ ଦୁଇଟି ଜିଲ୍ଲା । 

ଗତ ବର୍ଷ ରାଜ୍ୟରେ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଇଛି ବୋଲି ପୋଲିସ୍ ଡିଜି ସୂଚନା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କ ରିପୋର୍ଟ ଏବେ ପୁଣି ରାଜ୍ୟ ପୋଲିସ୍ ର ଚିନ୍ତା ବଢାଇଛି ।

ସୂଚନା ଅନୁସାରେ ଦେଶର ‘ସର୍ବାଧିକ ୨୫ ନକ୍ସଲ ପ୍ରଭାବିତ ଜିଲ୍ଲା’ ତାଲିକାରେ ଓଡ଼ିଶାର ଆଉ ୨ଟି ନୂଆ ଜିଲ୍ଲା କନ୍ଧମାଳ ଓ କଳାହାଣ୍ଡିକୁ ସାମିଲ କରାଯାଇଛି । ଏହାସହିତ କେନ୍ଦ୍ର ସରକାର କୋରାପୁଟକୁ ‘ଚିନ୍ତାଜନକ ଜିଲ୍ଲା’ ବର୍ଗରେ ସାମିଲ କରିଛନ୍ତି ।

୨୦୧୫ ମସିହାରେ ଦେଶର ସର୍ବାଧିକ ନକ୍ସଲ ପ୍ରଭାବିତ ୩୫ଟି ଜିଲ୍ଲାକୁ ଚିହ୍ନଟ କରାଯାଇଥିଲା । ଯେଉଁଥିରେ ଓଡ଼ିଶାର ୨ଟି ଜିଲ୍ଲା ମାଲକାନଗିରି ଓ କୋରାପୁଟ ରହିଥିଲା । ସେହିଭଳି ୨୦୧୮ରେ ଦେଶର ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡ଼ିକର ସ୍ଥିତି ସମୀକ୍ଷା କରି କେନ୍ଦ୍ର ସରକାର ଜିଲ୍ଲା ସଂଖ୍ୟାକୁ ୩୫ରୁ ୩୦କୁ ହ୍ରାସ କରିଥିଲେ ମଧ୍ୟ ଓଡ଼ିଶାର ଏହି ୨ଜିଲ୍ଲା ରହିଥିଲା । ମାତ୍ର ନିକଟରେ ହୋଇଥିବା ସମୀକ୍ଷାରେ ଦେଶର ସର୍ବାଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ହ୍ରାସ ପାଇ ୨୫ରେ ପହଞ୍ଚିଛି ।

ଏହି ତାଲିକାରେ ଓଡ଼ିଶାର ଅଧିକ ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ବୃଦ୍ଧି ପାଇଛି । ତାଲିକାରେ ଓଡ଼ିଶାର ୩ଟି ଜିଲ୍ଲା ଯଥା ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳକୁ ରଖାଯାଇଛି । ସମଗ୍ର ଦେଶରେ ହେଉଥିବା ମୋଟ ନକ୍ସଲ ହିଂସାର ୮୫% ହିଂସା ହିଁ ଏସବୁ ଜିଲ୍ଲାରେ ହୋଇଥାଏ ।

ତେବେ ଆଗକୁ ମାଓ ସହୀଦ ସପ୍ତାହ ଆରମ୍ଭ ହେବାକୁ ଯାଉଥିବା ବେଳେ ରାଜ୍ୟ ସରକାର ଏହି ମାଓ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିପାରନ୍ତି ।

  • Tags:

Subscribe

National International State Sports Entertainment