ଦୀର୍ଘ ଦିନରୁ ପରିତ୍ୟକ୍ତ ଅବସ୍ଥାରେ ଝାଡ଼ଖଣ୍ଡରେ ପଡ଼ିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ବ୍ୟବହୃତ ଫୋର୍ଡ କାର୍। ୧୯୩୦ ଦଶକରେ ନେତାଜୀଙ୍କ ଦ୍ୱାରା ବ୍ୟବହୃତ ୯୦ ବର୍ଷ ପୁରାତନ ଏହି କାରକୁ ଝାଡ଼ଖଣ୍ଡର ଧାନବାଦ ସ୍ଥିତ ଏକ ଅଚଳ ଗୋଦାମରେ ଦାୟିତ୍ବହୀନ ଭାବେ ଦେଖିବାକୁ ମିଳିଛି। ୧୯୩୦ ରୁ ୧୯୪୧ ମସିହା ମଧ୍ୟରେ ସୁଭାଷ ଚନ୍ଦ୍ର ବୋଷ ଝାଡଖଣ୍ଡର ଅଧିକାଂଶ ସ୍ଥାନ ଦେଇ ଯାତ୍ରା କରିଥିବା ଫୋର୍ଡ଼ର ଏକ ପୁରାତନ ବେବି ଅଷ୍ଟିନ କାର ଧାନବାଦସ୍ଥିତ ବରାରି କୋକ୍ ପ୍ଲାଣ୍ଟର ଗୋଦାମରେ ଦେଖିବାକୁ ମିଳିଛି।
ତଥ୍ୟ ଅନୁସାରେ, ନେତାଜୀ ଫୋର୍ଡ କମ୍ପାନି ଦ୍ବାରା ନିର୍ମିତ ସୁପର ଡିଲକ୍ସ କାରଟିକୁ ବ୍ୟବହାର କରୁଥିଲେ । ଯାହାର ରେଜିଷ୍ଟ୍ରେସନ ନମ୍ବର ଥିଲା ବିଆର୍ଆର୍-୩୨୦୧, ଇଞ୍ଜିନ ନମ୍ବର ଏସ୍ଡି- ୧୦୮୪୫୯- ଚେଚିସ୍ ନମ୍ବର,ଏମ୍-୧୩୨୨୦ ଉକ୍ତ କାରର ପ୍ରକୃତ ମାଲିକ ହେଉଛନ୍ତି ନେତାଜୀଙ୍କ ମାମୁ ଅଶୋକ ବୋଷ। ତାଙ୍କ ମାମୁ ସେ ସମୟରେ ସେଠାକାର ଏକ ସ୍ଥାନୀୟ କୋକ୍ ପ୍ଲାଣ୍ଟରେ କେମିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ନେତାଜୀ ସ୍ବାଧୀନତା ସଂଗ୍ରାମରେ ସାମିଲ ହେବାପରେ ୧୯୩୦ରୁ ୧୧ ବର୍ଷ ଧରି ଏହି କାରକୁ ବ୍ୟବହାର କରୁଥିଲେ । ଟାଟା ଶ୍ରମିକ ସଂଗଠନର ସଭାପତି ଦାୟିତ୍ଵ ତୁଲାଉଥିବା ନେତାଜୀ ଧାନବାଦକୁ ଅନେକ ସମୟରେ ସଂଗଠନ କାମରେ ଆସିବାବେଳେ ଏହି ଫୋର୍ଡ କାରକୁ ବ୍ୟବହାର କରୁଥିଲେ। ଏମିତିକି ଇଂରେଜଙ୍କ ଆଖିରେ ଧୂଳି ଦେଇ ସେ ଦେଶ ଛାଡ଼ିବା ସମୟରେ ମଧ୍ୟ ଏହି ଗାଡ଼ିକୁ ବ୍ୟବହାର କରିଥିଲେ ବୋଲି କୁହାଯାଏ।
ନେତାଜୀଙ୍କ ଦ୍ୱାରା ବ୍ୟବହୃତ ଏହି କାର୍ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ ହୋଇଥିଲେ ମଧ୍ୟ ସରକାରୀ ଉଦାସୀନତାରୁ ଏହା ସମ୍ଭବ ହୋଇପାରି ନାହିଁ। ନେତାଜୀ ବ୍ୟବହାର କରୁଥିବା ଏହି କାର୍ ଫେରିଆସିଲେ ଏହା ସହ ଜଡ଼ିତ ଥିବା ଅନେକ ସ୍ମୃତି ଓଡ଼ିଶାବାସୀ ଜାଣିବାର ସୁଯୋଗ ପାଆନ୍ତେ।
ଏହି କାର୍ ଅକାମୀ ହୋଇଯିବାରୁ ନେତାଜୀଙ୍କ ମାମୁ ତାହାକୁ ଏକ କବାଡ଼ିବାଲାକୁ ବିକ୍ରି କରିଦେଇଥିଲେ। ୨୦୧୪ ମସିହାରେ ଏହି କାରକୁ କୁକିଂ କୋଲ୍ ମୁଖ୍ୟ ଶ୍ରୀ ଲାହୋରୀ ଠାବ କରି ପଟକି ବ୍ଳଲିହାରୀଠାରେ ଥିବା ଏକ କବାଡ଼ିବାଲାଠାରୁ ସେ ଏହି କାରକୁ କିଣି ଆଣି କୋକ୍ ପ୍ଲାଣ୍ଟର ଅତିଥିଭବନରେ ରଖିଥିଲେ। ସେବେଠାରୁ ଖୋଲାଆକାଶ ତଳେ କାରଟି ପଡ଼ିରହିଛି। ଏବେ ତାହା ନଷ୍ଟ ହେବାକୁ ବସିଛି।
ତେବେ, ବାରାରି କୁକିଂ କୋଲ୍ ଲିମିଟେଡର ସ୍ବାଧୀନ ନିର୍ଦ୍ଦେଶକ ଥିବା ବରିଷ୍ଠ ବିଜେପି ନେତା ସତ୍ୟବ୍ରତ ପଣ୍ଡା ଧାନବାଦ କାର୍ଯ୍ୟାଳୟ ପରିସରରେ ଏହି ପରିତ୍ୟକ୍ତ କାର୍ କୁ ଦେଖି ଏହା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କାର୍ ବୋଲି ସୂଚନା ମିଳିବା ପରେ ଏହି କାରକୁ ଓଡ଼ିଶା ଫେରାଇ ଆଣିବା ପାଇଁ ଶ୍ରୀ ପଣ୍ଡା ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରିଥିଲେ। ଏହି ଗାଡ଼ିକୁ ସଂଗ୍ରହାଳୟରେ ରଖାଗଲେ, ପରବର୍ତ୍ତୀ ପିଢ଼ି ଅନେକ କଥା ଜାଣିପାରିବେ। କିନ୍ତୁ ବାରମ୍ବାର ରାଜ୍ୟ ସରକାରଙ୍କୁ ଚିଠି ଲେଖିବା ସତ୍ତ୍ବେ କୌଣସି ଉତ୍ତର ମିଳୁନି ବୋଲି ଶ୍ରୀ ପଣ୍ଡା କହିଛନ୍ତି।
ଅଧିକ ପଢନ୍ତୁ : ଅଯୋଧ୍ୟା ବିମାନବନ୍ଦରରେ ୮ ନୂଆ ସ୍ପାଇସ ଜେଟ