ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭାରତରେ ନିର୍ମିତ ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ୨୦୨୫ ଶେଷ ସୁଦ୍ଧା ପ୍ରଥମ ମେଡ୍ ଇନ୍ ଇଣ୍ଡିଆ ସେମିକଣ୍ଡକ୍ଟର ଚିପ୍ ବଜାରରେ ଉପଲବ୍ଧ ହେବ। ସେ ଏହା ମଧ୍ୟ କହିଛନ୍ତି ଯେ ସରକାର ମେଡ୍ ଇନ୍ ଇଣ୍ଡିଆ ୬ଜି ନେଟୱର୍କ ବିକଶିତ କରିବା ପାଇଁ ଦ୍ରୁତ ଗତିରେ କାମ କରୁଛନ୍ତି।
ଇକୋନୋମିକ୍ ଟାଇମ୍ସ ୱାର୍ଲ୍ଡ ଲିଡର୍ସ ଫୋରମ୍ ୨୦୨୫ରେ ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ଦଶନ୍ଧି ପୂର୍ବରୁ ଘରୋଇ ଭାବରେ ସେମିକଣ୍ଡକ୍ଟର ତିଆରି କରିବାର ସୁଯୋଗ ହରାଇଥିଲା, କିନ୍ତୁ ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ଆମେ ସମସ୍ତେ ଜାଣୁ ଯେ ୫୦-୬୦ ବର୍ଷ ପୂର୍ବେ ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ ଆରମ୍ଭ ହୋଇପାରିଥାନ୍ତା, କିନ୍ତୁ ଭାରତ ସେହି ସୁଯୋଗ ହରାଇଲା ଏବଂ ତା'ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ସ୍ଥିତି ଜାରି ରହିଲା। ଆଜି ଆମେ ସ୍ଥିତିରେ ପରିବର୍ତ୍ତନ ଆଣିଛୁ। ଭାରତରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ ହେବା ଆରମ୍ଭ ହୋଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ପ୍ରଥମ ସ୍ୱଦେଶୀ ଭାବରେ ବିକଶିତ ସେମିକଣ୍ଡକ୍ଟର ଚିପ୍ ବଜାରକୁ ଆସିବ।
ଭାରତର EV ରପ୍ତାନି ୧୦୦ଟି ଦେଶରେ ପହଞ୍ଚିବ
ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ଘୋଷଣା କରି କହିଛନ୍ତି, ଭାରତ ଖୁବ୍ ଶୀଘ୍ର ବୈଦ୍ୟୁତିକ ଯାନ (EV) କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ହେବାକୁ ଯାଉଛି। ଭାରତ ଏବେ ବିଶ୍ୱର ୧୦୦ଟି ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନି କରିବାକୁ ଯାଉଛି। ଏହି ସଫଳତା ସହିତ ଜଡିତ ଏକ ବହୁତ ବଡ଼ କାର୍ଯ୍ୟକ୍ରମ ମଙ୍ଗଳବାର ଆୟୋଜନ ହେବାକୁ ଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଅର୍ଥନୀତିକୁ ପ୍ରଶଂସା କରି କହିଛନ୍ତି, "ସଂସ୍କାର, ପ୍ରଦର୍ଶନ ଏବଂ ରୂପାନ୍ତର ମନ୍ତ୍ର ଅନୁସରଣ କରୁଥିବା ଭାରତ ଆଜି ବିଶ୍ୱକୁ ମାନ୍ଦାବସ୍ଥାରୁ ବାହାର କରିବା ସ୍ଥିତିରେ ରହିଛି। ଆମେ କୂଳରେ ବସି ସ୍ଥିର ପାଣିରେ ପଥର ଫିଙ୍ଗିବା ଲୋକ ନୁହଁ। ଆମେ ଏପରି ଲୋକ ଯେଉଁମାନେ ଦ୍ରୁତ ପ୍ରବାହିତ ଜଳଧାରାକୁ ମଧ୍ୟ ପରିବର୍ତ୍ତନ କରିପାରିବା।
Also read- କେଉଁ ମୁଖ୍ୟମନ୍ତ୍ରୀଙ୍କ ପାଖେ କେତେ ସମ୍ପତି ? ଆସିଲା ADR ରିପୋର୍ଟ, ଜାଣନ୍ତୁ କିଏ ଦେଶର ସବୁଠୁ ଧନୀ ଓ ଗରିବ ମୁଖ୍ୟମନ୍ତ୍ରୀ; ୪୦%ଙ୍କ ନାଁରେ ରହିଛି ଅପରାଧିକ ମାମଲା