ନୂଆଦିଲ୍ଲୀ: ଶିଶୁ ଚାଲାଣ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ କହିଛନ୍ତି, ରାଜ୍ୟ ସରକାର ନବଜାତ ପିଲାଙ୍କ ଚୋରି ସଂପର୍କିତ ମାମଲା ଉପରେ ଗମ୍ଭୀରତାର ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଯେଉଁ ହସ୍ପିଟାଲରୁ କୌଣସି ନବଜାତ ଚୋରି ହେଲେ ପ୍ରଥମେ ସେହି ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବା ଉଚିତ୍ ।
ବାରଣାସୀ ଓ ଏହାର ଆଖପାଖ ହସ୍ପିଟାଲରେ ହୋଇଥିବା ଶିଶୁ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଆହ୍ଲାବାଦ ହାଇକୋର୍ଟ ୨୦୨୪ରେ ଜାମିନ ଦେଇଥିଲେ । ଏହା ବିରୋଧରେ ପରିବାର ଲୋକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ରାଷ୍ଟ୍ରୀୟ ମାନବାଧିକାର ଆୟୋଗ ଓ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ ଡେଭେଲପମେଣ୍ଟଠୁ ରିପୋର୍ଟ ମାଗିଥିଲେ ।
ଆଜି ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଜେ ବି ପାରଦିବାଲାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଅଭିଯୁକ୍ତଙ୍କ ଜାମିନ ରଦ୍ଦ କରିଛନ୍ତି । ଶିଶୁ ଚୋରି ମାମଲା ସମଗ୍ର ଦେଶର ଏକ ବଡ ପ୍ରସଙ୍ଗ । ଏହା ପଛରେ ବଡ ର୍ୟାକେଟ୍ ରହିଛି । ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ରାଜସ୍ଥାନ ପର୍ଯ୍ୟନ୍ତ ଅନେକ ସ୍ଥାନରୁ ଅନେକ ଶିଶୁ ଉଦ୍ଧାର ହୋଇଛନ୍ତି । ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କୁ ସମାଜ ପାଇଁ ବିପଦ ବୋଲି ଦର୍ଶାଇଛନ୍ତି । ଏମିତି ମାମଲାରେ ଜାମିନ ଦେବା ହାଇକୋର୍ଟଙ୍କ ବେପରୁଆ ଆଭିମୁଖ୍ୟକୁ ଦର୍ଶାଉଛି । ସୁପ୍ରିମକୋର୍ଟ ଜାମିନ ଆବେଦନ ଆଦେଶକୁ ଚ୍ୟାଲେଞ୍ଜ ଦେଇ ନ ଥିବାରୁ ଉତ୍ତର ପ୍ରଦେଶ ସରକାରଙ୍କ ସମାଲୋଚନା କରିଛନ୍ତି ।
ସୁପ୍ରିମକୋର୍ଟ ଶିଶୁ ଚୋରି ମାମଲାରେ ଭାରତୀୟ ଇନଷ୍ଟିଚ୍ୟୁଟ୍ ତରଫରୁ ଦିଆଯାଇଥିବା ପ୍ରସ୍ତାବକୁ ନିଜ ନିଷ୍ପତ୍ତିରେ ସ୍ଥାନ ଦେବା ସହ ସବୁ ରାଜ୍ୟ ସରକାରଙ୍କୁ ଏହା କାର୍ଯ୍ୟକାରୀ କରିବାକୁ କହିଛନ୍ତି । ଏହା ସହ କୋର୍ଟ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇ କହିଛନ୍ତି, ଯଦି କୌଣସି ମହିଳା ଶିଶୁ ଜନ୍ମ ପାଇଁ ହସ୍ପିଟାଲ୍ ଆସନ୍ତି ଏବଂ ସେଠାରୁ ନବଜାତ ଶିଶୁ ଚୋରି ହୁଏ ତେବେ ସର୍ବପ୍ରଥମେ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବା ଉଚିତ୍ । ଏଥିରେ ଶିଶୁ ଚୋରି ମାମଲା କିଛି ମାତ୍ରାରେ ହ୍ରାସ ପାଇପାରିବ । ଏଥିସହ ଅଭିଭାବକଙ୍କୁ ଅଧିକ ସତର୍କ ରହିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି ।