ନୂଆଦିଲ୍ଲୀ, ଜୁଲାଇ ୦୧ (ଖବର ଓଡ଼ିଶା): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା । ମୋର ଆଶା ଯେ, ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀନନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶୀର୍ବାଦରୁ ପ୍ରତ୍ୟେକଟି ଜୀବନ ମଙ୍ଗଳମୟ ହେଉ।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି କହିଛନ୍ତି, ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ଆପଣମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ଶ୍ରଦ୍ଧା, ଭକ୍ତି ଓ ସଦ୍ଭାବରେ ପରିପୂର୍ଣ୍ଣ ଏହି ଅଲୌକିକ ଯାତ୍ରା ସମସ୍ତ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଆରୋଗ୍ୟ ନେଇ ଆସୁ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେଉଛି ଓଡ଼ିଆଙ୍କ ଭାବାବେଗର ମହାନ ପର୍ବ । ଏହି ଘୋଷଯାତ୍ରାର ଶୁଭ ଅବସରରେ ବଡ଼ ଠାକୁରଙ୍କୁ ମୋର କୋଟି କୋଟି ପ୍ରଣାମ । ଶ୍ରୀଜୀଉଙ୍କର ଶୁଭ ଦୃଷ୍ଟି ସମସ୍ତଙ୍କ ଉପରେ ସଦାସର୍ବଦା ରହିଥାଉ; ଏହା ହିଁ କାମନା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀକ୍ଷେତ୍ରରେ ଆଜି ଭୋର ସକାଳୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଯାଇଥିଲା । ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା । ଆଶା କରାଯାଉଛି ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ପହଣ୍ଡି ଶେଷ କରାଯାଇ ରଥ ଉପରେ ଅନ୍ୟାନ୍ୟ ନୀତିର ଆୟୋଜନ କରାଯିବ । ଠିକ ସେହିପରି ଅପରାହ୍ନ ୪ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଯାଇପାରେ ।