ଚଣ୍ଡିଗଡ: ପଞ୍ଜାବ ସରକାର ବନ୍ୟା କାରଣରୁ ବିଗିଡିଥିବା ସ୍ଥିତି ଏବଂ ଲଗାତାର ବର୍ଷା କାରଣରୁ ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱ ବିଦ୍ୟାଳୟ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି । ପଞ୍ଜାବର ଶିକ୍ଷା ମନ୍ତ୍ରୀ ହରଜୋତ ସିଂ ବାନ୍ସ ଏହାର ସୂଚନା ଦେଇଛନ୍ତି । ସେ ଏକ୍ସରେ କହିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂ ମାନଙ୍କ ନିର୍ଦ୍ଦେଶ ଅନୁସାରେ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ପଞ୍ଜାବର ସମସ୍ତ ସରକାରୀ, ସହାୟତାପ୍ରାପ୍ତ, ମାନ୍ୟତା ପ୍ରାପ୍ତ, ଘରୋଇ ସ୍କୁଲ, କଲେଜ, ବିଶ୍ୱ ବିଦ୍ୟାଳୟ ସେପ୍ଟେମ୍ବର ୭ ପର୍ଯ୍ୟନ୍ତ ବନ୍ଦ ରହିବ ।
ଏହା ପୂର୍ବରୁ ସରକାର ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜ ଛୁଟି ଘୋଷଣା କରିଥିଲେ । ତେବେ ହିମାଚଳ ପ୍ରଦେଶ ଓ ଜମ୍ମୁ-କାଶ୍ମୀରରେ ଭୀଷଣ ବର୍ଷା ପରେ ସତଲେଜ, ବ୍ୟାସ ଓ ରବି ନଦୀ ଫୁଲି ଉଠିଥିଲା । ଫଳରେ ପଞ୍ଜାବରେ ବନ୍ୟା ସୃଷ୍ଟି ହୋଇଥିଲା । ପଞ୍ଜାବରେ ଲଗାତାର ବର୍ଷା ରାଜ୍ୟର ବନ୍ୟା ସ୍ଥିତିକୁ ଆହୁରି ଗମ୍ଭୀର କରିଛି । ରାଜ୍ୟରେ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୩୦ରେ ପହଞ୍ଚିଛି । ସାଢେ ତିନି ଲକ୍ଷରର ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ସହ କଥା ହୋଇଛନ୍ତି ଏବଂ ଯଥାସମ୍ଭବ ସହାୟତା ଦେବାକୁ ଭରସା ଦେଇଛନ୍ତି ।
ହରିୟାଣାରେ ମଧ୍ୟ ପ୍ରବଳ ବର୍ଷା କାରଣରୁ ବନ୍ୟା ସ୍ଥିତି ଉପୁଜିଛି । ରାଜ୍ୟ ସରକାର ଆଲର୍ଟ ଜାରି କରିଛନ୍ତି । ପଞ୍ଜାବ ସଂଲଗ୍ନ ଯମୁନାନଗର ଓ ଅମ୍ବାଲା ପରି ଜିଲ୍ଲାରେ ଭୀଷଣ ବର୍ଷା କାରଣରୁ ଯମୁନାର ଜଳସ୍ତର ବିପେଦ ସଙ୍କେତ ଛୁଇଁଛି । ମଙ୍ଗଳବାର ପୂରା ରାତି ବର୍ଷା ହେବାରୁ ଦୁଇ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ଆଦେଶ ଦେଇଛନ୍ତି । ସ୍ଥିତି ଉପରେ ନଜର ରଖାଯାଇଛି ।
Also read: ବିଜୟ ଦିବସ ପରେଡରେ ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲେ ଚୀନ୍ ରାଷ୍ଟ୍ରପତି