ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ତାଙ୍କ ଉତ୍ତରାଧିକାରୀ ଭାବେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ନାମ ସୁପାରିସ କରିଛନ୍ତି। ସିଜେଆଇ ଚନ୍ଦ୍ରଚୂଡ଼ ସରକାରଙ୍କୁ ଚିଠି ଲେଖି ତାଙ୍କ ନାମ ସୁପାରିସ କରିଛନ୍ତି। ସଞ୍ଜୀବ ଖନ୍ନା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି। କିଛି ଦିନ ତଳେ ସରକାର ବିଦାୟୀ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ମେମୋରେଣ୍ଡମ୍ ଅଫ୍ ପ୍ରୋସିଜର ଅନୁଯାୟୀ ସୁପାରିସ ପଠାଇବାକୁ କହିଥିଲେ। ସିଜେଆଇ ଚନ୍ଦ୍ରଚୂଡ଼ ନଭେମ୍ବର ୧୦ରେ ଅବସର ନେଉଛନ୍ତି।
ଜଷ୍ଟିସ୍ ସଞ୍ଜୀବ ଖନ୍ନା ୬ ମାସ ପାଇଁ ପ୍ରଧାନ ବିଚାରପତି ହେବାର ସମ୍ଭାବନା ରହିଛି। ୨୦୨୪ ନଭେମ୍ବର ୧୧ରେ ସେ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଆସନ୍ତା ବର୍ଷ ମେ' ୧୩ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ସେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି।
ଜଷ୍ଟିସ ସଞ୍ଜୀବ ଖନ୍ନା ୧୯୬୦ ମସିହା ମେ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ୧୯୭୭ ମସିହାରେ ସେ ମଡର୍ଣ୍ଣ ସ୍କୁଲ (ନୂଆଦିଲ୍ଲୀ)ରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ। ଏହାପରେ ସେ ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ କଲେଜରୁ ସ୍ନାତକ ହାସଲ କରିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଆଇନ ବିଭାଗର କ୍ୟାମ୍ପସ ଲ ସେଣ୍ଟରରେ ଆଇନ ଅଧ୍ୟୟନ କରିଥିଲେ। ତାଙ୍କ ପିତା ଜଷ୍ଟିସ ଦେବ ରାଜ ଖନ୍ନା ୧୯୮୫ରେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଭାବରେ ଅବସର ଗ୍ରହଣ କରିଥିଲେ ଏବଂ ତାଙ୍କ ମା' ସରୋଜ ଖନ୍ନା ଦିଲ୍ଲୀର ଲେଡି ଶ୍ରୀରାମ କଲେଜରେ ଜଣେ ହିନ୍ଦୀ ପ୍ରଫେସର ଥିଲେ। ସଞ୍ଜୀବ ଖନ୍ନା ପ୍ରଥମେ ଦିଲ୍ଲୀର ତିସ୍ ହଜାରୀ କ୍ୟାମ୍ପସରେ ଅଭ୍ୟାସ ଆରମ୍ଭ କରିଥିଲେ।
୧୯୮୩ ମସିହାରେ ସେ ଦିଲ୍ଲୀ ବାର କାଉନସିଲରେ ଓକିଲ ଭାବରେ ନାମ ଲେଖାଇଥିଲେ । ୨୦୦୫ ଜୁନ୍ ୨୪ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ପରବର୍ତ୍ତୀ ସମୟରେ ୨୦୦୬ ମସିହାରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଥିଲା।
ଏହାପରେ ୨୦୧୯ ଜାନୁଆରୀ ୧୮ତାରିଖରେ ସେ ସୁପ୍ରିମ୍କୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ। ସଞ୍ଜୀବ ଖନ୍ନାଙ୍କ ପିତାଙ୍କ ବ୍ୟତୀତ ତାଙ୍କ କାକା ହଂସରାଜ ଖାନ୍ନା ମଧ୍ୟ ସୁପ୍ରିମ୍ କୋର୍ଟର ବିଚାରପତି ଅଛନ୍ତି।
ସୁପ୍ରିମ୍କୋର୍ଟରେ ତାଙ୍କର ସାଢ଼େ ୪ ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ୩୫୮ଟି ଖଣ୍ଡପୀଠରେ ସାମିଲ ହୋଇ ୯୦ରୁ ଅଧିକ ମାମଲାରେ ରାୟ ଶୁଣାଇଛନ୍ତି। ଗତବର୍ଷ ଅନୁସୂଚିତ ଜାତି ଓ ଜନଜାତିଙ୍କ ପଦୋନ୍ନତିରେ ସଂରକ୍ଷଣ ପ୍ରସଙ୍ଗରେ ଶୁଣାଣି କରିଥିବା ତିନି ଜଣିଆ ଖଣ୍ଡପୀଠରେ ସେ ସାମିଲ ହୋଇଥିଲେ। ସେହିପରି ୨୦୨୩ ମସିହାରେ ସେ ଶିଳ୍ପା ଶୈଳେଶଙ୍କୁ ନେଇ ସାମ୍ବିଧାନିକ ଖଣ୍ଡପୀଠର ରାୟ ଦେଇଥିଲେ।
ଅଧିକ ପଢ଼ନ୍ତୁ: ଶପଥ ନେବା ପୂର୍ବରୁ ଅନିଲ ଭିଜ୍ଙ୍କୁ ସୈନୀଙ୍କ ଫୋନ୍ ଆସିଲା