ନୂଆଦିଲ୍ଲୀ: ନିର୍ବାଚନ କମିଶନ ମଙ୍ଗଳବାର ନଅଟି ରାଜ୍ୟ ଏବଂ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳରେ ଘର ଘର ବୁଲି ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଆରମ୍ଭ କରିବେ। ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମୋଟ ୫୧ କୋଟି ଭୋଟର ଅଛନ୍ତି। ଏହି ପ୍ରକ୍ରିୟା ୨୦୨୬ ଫେବୃଆରୀ ୭ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ସହିତ ଶେଷ ହେବ। ବିହାର ପରେ ଏହା SIRର ଦ୍ୱିତୀୟ ପର୍ଯ୍ୟାୟ। ପ୍ରାୟ ୭.୪୨ କୋଟି ନାମ ବିଶିଷ୍ଟ ବିହାରର ଚୂଡ଼ାନ୍ତ ଭୋଟର ତାଲିକା ସେପ୍ଟେମ୍ବର ୩୦ରେ ପ୍ରକାଶିତ ହୋଇଥିଲା।
ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ SIRର ଦ୍ୱିତୀୟ ପର୍ଯ୍ୟାୟ କରାଯିବ ସେଗୁଡ଼ିକ ମଧ୍ୟରେ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଲକ୍ଷଦ୍ୱୀପ, ଗୋଆ, ଗୁଜରାଟ, କେରଳ, ପୁଡୁଚେରୀ, ତାମିଲନାଡୁ ଏବଂ ପଶ୍ଚିମବଙ୍ଗ ଅନ୍ତର୍ଭୁକ୍ତ। ଏଥିମଧ୍ୟରୁ ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗରେ ୨୦୨୬ ମସିହାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଯଦିଓ ଆସାମରେ ମଧ୍ୟ ୨୦୨୬ ମସିହାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, କିନ୍ତୁ ସେହି ରାଜ୍ୟ ପାଇଁ SIR ପୃଥକ ଭାବରେ ଘୋଷଣା କରାଯିବ କାରଣ ସେଠାରେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ନାଗରିକତା ଯାଞ୍ଚ ପ୍ରକ୍ରିୟା ବର୍ତ୍ତମାନ ଚାଲିଛି।
ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଅକ୍ଟୋବର ୨୭ରେ SIRର ଦ୍ୱିତୀୟ ପର୍ଯ୍ୟାୟ ଘୋଷଣା କରିଥିଲେ। ତାଙ୍କ ଅନୁସାରେ SIR ନଭେମ୍ବର ୪ରେ ଗଣନା ପର୍ଯ୍ୟାୟ ସହିତ ଆରମ୍ଭ ହେବ ଏବଂ ଡିସେମ୍ବର ୪ ପର୍ଯ୍ୟନ୍ତ ଜାରି ରହିବ। ନିର୍ବାଚନ କମିଶନ ଡିସେମ୍ବର ୯ରେ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶ କରିବେ ଏବଂ  ଫେବୃଆରୀ ୭ରେ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହେବ।
ନିର୍ବାଚନ କମିଶନ ବିଶ୍ୱାସ କରନ୍ତି ଯେ SIR ନିଶ୍ଚିତ କରିବ ଯେ କୌଣସି ଯୋଗ୍ୟ ଭୋଟର ବାଦ ନପଡ଼ନ୍ତି ଏବଂ କୌଣସି ଅଯୋଗ୍ୟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନହୁଏ। ଅଧିକାଂଶ ରାଜ୍ୟରେ ଶେଷ SIR ୨୦୦୨ରୁ ୨୦୦୪ ମଧ୍ୟରେ କରାଯାଇଥିଲା।
SIRର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଅବୈଧ ବିଦେଶୀ ପ୍ରବାସୀଙ୍କୁ ସେମାନଙ୍କ ଜନ୍ମସ୍ଥାନ ଯାଞ୍ଚ କରି ବାହାର କରିବା। ବିଭିନ୍ନ ରାଜ୍ୟରେ ଅବୈଧ ପ୍ରବାସୀ, ବିଶେଷକରି ବାଂଲାଦେଶ ଏବଂ ମିଆଁମାରର ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଦୃଷ୍ଟିରୁ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ କମିଶନ ମାଡ୍ରାସ ହାଇକୋର୍ଟକୁ କହିଛନ୍ତି ଯେ ତାମିଲନାଡୁରେ ସମ୍ପୂର୍ଣ୍ଣ ତାଲିକା ନୂତନ ଭାବରେ ପ୍ରସ୍ତୁତ କରାଯିବ।  
ଅଧିକ ପଢ଼ନ୍ତୁ: ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆକୁ ଭେଟିବେ ପିଏମ ମୋଦୀ