ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିବାର ଆଶା ଦେଖାଯାଉ ନାହିଁ। ତାଙ୍କୁ ଆସନ୍ତା ୨ ତାରିଖରେ କୋର୍ଟରେ ପୁଣି ହାଜର ହେବାକୁ ପଡ଼ିବ। କେଜ୍ରିୱାଲଙ୍କୁ ପୁଣି ଥରେ ଜେଲ ଭିତରେ ରହିବାକୁ ପଡ଼ିପାରେ।
ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନର ଅବଧୀ ୭ ଦିନ ବଢ଼ାଇବା ପାଇଁ ଆବେଦନକୁ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି। ରେଜିଷ୍ଟ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ସ୍ୱୀକାର କରି ନାହାନ୍ତି । ଏହାର ଅର୍ଥ କେଜ୍ରିୱାଲଙ୍କୁ ଜୁନ ୨ ତାରିଖରେ କୋର୍ଟରେ ହାଜର ହେବାକୁ ପଡ଼ିବ।
ଓକିଲ ଦୁଇ ଦିନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ସେ ସୁପ୍ରମ୍କୋର୍ଟରେ ଅନ୍ତରୀଣ ଜାମିନ ୭ ଦିନ ବୃଦ୍ଧି ପାଇଁ ଆବେଦନ କରିଥିଲେ। ଆମ୍ ଆଦମୀ ପାର୍ଟି (ଆପ୍) ଅନୁସାରେ କେଜ୍ରିୱାଲଙ୍କୁ ଏବେ ପିଇଟି-ସିଟି ସ୍କାନ ସହିତ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରିବାର ଅଛି ବୋଲି କହିଥିଲେ।
ସୂଚନାଯୋଗ୍ୟ ଗତ ୧୦ ତାରିଖ ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିଥିଲା। ତାଙ୍କୁ ଜୁନ ୧ ତାରିଖ ଯାଏଁ ସର୍ବୋଚ୍ଚ ଅଦାଲତ ଜାମିନ ପ୍ରଦାନ କରିଥିଲେ। ଜଷ୍ଟିସ ସଂଜୀବ ଖନ୍ନା ଓ ଜଷ୍ଟିସ ଦୀପାଂକର ଦତ୍ତାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଅନ୍ତରୀଣ ଜାମିନ ପ୍ରଦାନ କରିବା ସହିତ କହିଥିଲେ ଯେ, ଲୋକସଭା ନିର୍ବାଚନ ଚଳିତ ବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା। କୋଟିକୋଟି ମତଦାତା ଆଗାମୀ ୫ ବର୍ଷ ପାଇଁ ଦେଶର ସରକାର ଚଳାଇବାକୁ ନିଜର ମତଦାନ ଦେବେ। ସାଧାରଣ ନିର୍ବାଚନ ଗଣତନ୍ତ୍ର ଜୀବନକୁ ଶକ୍ତି ପ୍ରଦାନ କରିଥାଏ। ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଉଛି।
ଦିଲ୍ଲୀର ବହୁଚର୍ଚ୍ଚିତ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ କରିଥିଲା। ଏହା ପୂର୍ବରୁ ଇଡି ମାମଲାର କାରଣ ଜାଣିବା ପାଇଁ କେଜ୍ରିୱାଲଙ୍କୁ ୯ ଥର ସମନ ଜାରି କରିଥିଲା। କିନ୍ତୁ କେଜ୍ରିୱାଲ ହାଜର ହୋଇ ନଥିଲେ। କେନ୍ଦ୍ରୀୟ ତଦନ୍ତ ସଂସ୍ଥାର ଅଭିଯୋଗ ହେଲା ଯେ, କେଜ୍ରିୱାଲ ହେଉଛନ୍ତି ମଦ ଦୁର୍ନୀତିର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ସେ ସିଧାସଳଖ ଲାଞ୍ଚ ମାଗୁଥିଲେ ମଧ୍ୟ ଅଭିଯୋଗ ହୋଇଛି।