ମଙ୍ଗଳବାର ରାତିରେ ରାମକୃଷ୍ଣ ମିଶନ ଅଧକ୍ଷ ତଥା ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁବେଳକୁ ସ୍ୱାମୀଜୀଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମେତ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତାଙ୍କ ସମେତ ଅନେକ ବ୍ୟକ୍ତିତ୍ୱ ଶୋକ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି।
୨୦୧୭ ମସିହାରେ ସ୍ମରଣାନନ୍ଦ ରାମକୃଷ୍ଣ ମିଶନର ୧୬ତମ ସଭାପତି ହୋଇଥିଲେ। ରାମକୃଷ୍ଣ ମିଶନ ପକ୍ଷରୁ ପ୍ରକାଶ ପାଇଥିବା ଏକ ବିବୃତ୍ତି ଅନୁଯାୟୀ, "ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜଙ୍କର ମଙ୍ଗଳବାର ରାତି ୮.୧୪ ସମୟରେ ଦେହାନ୍ତ ହୋଇଯାଇଛି। ସଂକ୍ରମଣ ହେତୁ ତାଙ୍କୁ ଜାନୁଆରୀ ୨୯ରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର ଶ୍ଵାସକ୍ରିୟାରେ ଅସୁବିଧା ଆରମ୍ଭ ହେବାରୁ ତାଙ୍କୁ ମାର୍ଚ୍ଚ ୩ ରେ ଭେଣ୍ଟିଲେଟରରେ ରଖାଯାଇଥିଲା।"
ସ୍ୱାମୀଜୀଙ୍କ ନିଧନରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟରେ କହିଛନ୍ତି ଯେ, "ସ୍ୱାମୀଜୀ ଅସଂଖ୍ୟ ହୃଦୟ ଏବଂ ମନରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି। ତାଙ୍କର କରୁଣା ଏବଂ ଜ୍ଞାନ ଅନେକ ପିଢିଙ୍କୁ ପ୍ରେରଣା ଯୋଗାଇବ। ସ୍ୱାମୀଜୀଙ୍କ ସହ ବର୍ଷ ବର୍ଷ ଧରି ମୋର ଅତି ଘନିଷ୍ଠ ସମ୍ପର୍କ ରହିଥିଲା। ମୋର ମନେ ଅଛି, ୨୦୨୦ ମସିହାରେ କୋଲକାତାର ବେଲୁର ମଠ ଗସ୍ତ ସମୟରେ ମୁଁ ସ୍ୱାମୀଜୀଙ୍କୁ ଭେଟିଥିଲି। କିଛି ସପ୍ତାହ ପୂର୍ବରୁ ମୁଁ କୋଲକାତା ଗସ୍ତ ସମୟରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲି।"
ଅଧିକ ପଢନ୍ତୁ: ଅବହେଳିତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର