ଇସଲାମାବାଦ: 'ଅପରେସନ୍ ସିନ୍ଦୂର' ଉପରେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବୟାନ ପାକିସ୍ତାନକୁ ଆଘାତ ଦେଇଛି। ପାକିସ୍ତାନ ସରକାର ନିଜର କ୍ରୋଧ ପ୍ରକାଶ କରି କହିଛନ୍ତି ଯେ ଡୋଭାଲ ମିଛ ଏବଂ ଭୁଲ୍ ଉପସ୍ଥାପନା କରିଛନ୍ତି। ଡୋଭାଲ ଶୁକ୍ରବାର କହିଥିଲେ ଯେ ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନରେ ଥିବା ୯ଟି ଆତଙ୍କବାଦୀ ଆଡ୍ଡାକୁ ସଠିକତାର ସହିତ ନଷ୍ଟ କରିଛି। ଅନ୍ୟପକ୍ଷରେ, ଏହି ସଂଘର୍ଷ ସମୟରେ ଭାରତରେ କୌଣସି କ୍ଷତି ହୋଇନାହିଁ। ଭାରତରେ ଗୋଟିଏ କାଚ ମଧ୍ୟ ଭାଙ୍ଗି ନାହିଁ।
ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଦାବିକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରିଛି ଯେ ଭାରତୀୟ ସେନା ଗତ ମେ’ ମାସ ୬-୭ ରାତିରେ ସଫଳତାର ସହ ଟାର୍ଗେଟକୁ ଆକ୍ରମଣ କରିଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟର ମୁଖପାତ୍ର ଶଫକତ ଅଲି ଖାନ କହିଛନ୍ତି, 'ଡୋଭାଲଙ୍କ ବୟାନ ଜନସାଧାରଣଙ୍କୁ ଭ୍ରମିତ କରିବାର ପ୍ରୟାସ। ଏହା ଏକ ଦାୟିତ୍ୱବାନ ଦେଶ ଦ୍ୱାରା ଅନ୍ତର୍ଜାତୀୟ ମାନଦଣ୍ଡର ମଧ୍ୟ ଉଲ୍ଲଂଘନ।
ଶନିବାର ଦିନ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ତାଙ୍କ ସାମ୍ବାଦିକ ସମ୍ମିଳନୀରେ ଭାରତ ଉପରେ ସାର୍ବଭୌମତ୍ୱ ଉଲ୍ଲଂଘନ ଏବଂ ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନ କରୁଥିବା ଅଭିଯୋଗ ଆଣିଛନ୍ତି। ମୁଖପାତ୍ର ଶଫକତ କହିଛନ୍ତି ଯେ ଡୋଭାଲଙ୍କ ବୟାନ ଦାୟିତ୍ୱପୂର୍ଣ୍ଣ କୂଟନୀତିର ମାନଦଣ୍ଡକୁ ଭଙ୍ଗ କରୁଛି। ଏପରି ସାମରିକ ଆକ୍ରମଣକୁ ଭାରତ ପ୍ରଶଂସା କରିବା ଜାତିସଂଘ ଚାର୍ଟରର ଏକ ଗମ୍ଭୀର ଉଲ୍ଲଂଘନ।
ଏହି ସମୟରେ ଶଫକତ କହିଥିଲେ ଯେ ଭାରତ ସେମାନଙ୍କ ଭୂମିରେ ଯେଉଁ ଟାର୍ଗେଟଗୁଡ଼ିକୁ ଆକ୍ରମଣ କରିଛି ତାହା ସାଧାରଣ ନାଗରିକ ଅଞ୍ଚଳ ଥିଲା ଏବଂ ଏହା ନିରୀହ ନାଗରିକଙ୍କ ମୃତ୍ୟୁର କାରଣ ହୋଇଥିଲା। ଶଫକତ ଅଲି ଖାନ କହିଛନ୍ତି ଯେ ଅନ୍ତର୍ଜାତୀୟ ସମୁଦାୟକୁ ଭାରତର ଆକ୍ରମଣାତ୍ମକ ମନୋଭାବକୁ ଗମ୍ଭୀରତାର ସହିତ ନେବାକୁ ପଡିବ। ବିଶ୍ୱ ସମୁଦାୟ ଏହାକୁ ବନ୍ଦ କରିବା ଉଚିତ କାରଣ ଆମେ ଗେତ ମେ’ ୭-୮ରୁ ୧୦ ପର୍ଯ୍ୟନ୍ତ ଏକ ସଂଘର୍ଷ ରୂପରେ ଏହାର ଖରାପ ପରିଣାମ ଦେଖିଛୁ।
ଅଧିକ ପଢ଼ନ୍ତୁ: ଫାରୁକ ଅବଦୁଲ୍ଲାଙ୍କୁ ଅନୁମତି ମିଳିଲାନି