ନୂଆଦିଲ୍ଲୀ: ମହଙ୍ଗା ମାଡ଼ ଭିତରେ ଗ୍ୟାସ ଗ୍ରାହକଙ୍କ ପାଇଁ ଆସିଛି ଏକ ଦୁଃଖଦ ଖବର। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ମିଳୁଥିବା ସବସିଡି ସିଲିଣ୍ଡର ସଂଖ୍ୟାରେ ବଡ଼ ଧରଣର ହ୍ରାସ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ହିତାଧିକାରୀମାନଙ୍କୁ ଏବେ ବର୍ଷକୁ ୯ଟି ବଦଳରେ ମାତ୍ର ୪ଟି ସିଲିଣ୍ଡର ଉପରେ ସବସିଡି ସୁବିଧା ମିଳିବ। ସୋମବାର ସରକାରଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି।
କମିଲା ସବସିଡି ସୀମା: ୧୨ରୁ ଆସି ୪ରେ ପହଞ୍ଚିଲା
ସୂଚନାଯୋଗ୍ୟ ଯେ, ୨୦୧୬ ମସିହାରେ ଯେତେବେଳେ ଉଜ୍ଜ୍ୱଳା ଯୋଜନା ଆରମ୍ଭ ହୋଇଥିଲା, ସେତେବେଳେ ବର୍ଷକୁ ୧୨ଟି ସିଲିଣ୍ଡର ଉପରେ ସବସିଡି ମିଳୁଥିଲା। ପରବର୍ତ୍ତୀ ସମୟରେ ଏହାକୁ ୯ଟିକୁ ହ୍ରାସ କରାଯାଇଥିଲା। କିନ୍ତୁ ଏବେ ସରକାର ଏହି ସଂଖ୍ୟାକୁ ମାତ୍ର ୪କୁ କମାଇ ଦେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ ଖାନୁଜା କହିଛନ୍ତି ଯେ, ଲୋକଙ୍କ ବାର୍ଷିକ ହାରାହାରି ଗ୍ୟାସ ବ୍ୟବହାରକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।
କ’ଣ ଅଛି ନୂଆ ନିୟମରେ ?
୩୦୦ ଟଙ୍କା ସବସିଡି ଜାରି ରହିବ: ବର୍ଷର ପ୍ରଥମ ୪ଟି ସିଲିଣ୍ଡର ଉପରେ ହିତାଧିକାରୀଙ୍କୁ ପୂର୍ବଭଳି ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ମିଳିବ। ଏହି ଟଙ୍କା ସିଧାସଳଖ ଡିବିଟି (DBT) ମାଧ୍ୟମରେ ବ୍ୟାଙ୍କ ଖାତାକୁ ଯିବ।
୫ମ ସିଲିଣ୍ଡରରୁ ଦେବାକୁ ପଡ଼ିବ ପୂରା ଦାମ୍: ଯଦି କୌଣସି ପରିବାର ବର୍ଷକୁ ୪ରୁ ଅଧିକ ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ୫ମ ସିଲିଣ୍ଡର ବୁକିଂ ସମୟରେ ସେମାନଙ୍କୁ କୌଣସି ସବସିଡି ମିଳିବ ନାହିଁ। ଗ୍ରାହକଙ୍କୁ ସେହି ସମୟର ବଜାର ଦର ଅନୁଯାୟୀ ପୂରା ଟଙ୍କା ଦେବାକୁ ପଡ଼ିବ।
ଭୁବନେଶ୍ଵର ଉଦାହରଣ: ବର୍ତ୍ତମାନ ଭୁବନେଶ୍ଵରରେ ଗ୍ୟାସ ସିଲିଣ୍ଡର ଦର ୯୬୮ ଟଙ୍କା ଥିବାବେଳେ ସବସିଡି ପରେ ହିତାଧିକାରୀଙ୍କୁ ୬୬୮ ଟଙ୍କା ପଡ଼ୁଛି। କିନ୍ତୁ ୪ଟି ପରେ ଏହା ପୁଣି ୯୬୮ ଟଙ୍କା ହୋଇଯିବ।
ସରକାରଙ୍କ ସଫେଇ
ସରକାରଙ୍କ କହିବା ଅନୁଯାୟୀ, ଗୋଟିଏ ସିଲିଣ୍ଡରର ଯୋଗାଣ ଖର୍ଚ୍ଚ ପ୍ରାୟ ୧୬୦୦ ଟଙ୍କା ହେଉଥିବା ବେଳେ ହିତାଧିକାରୀଙ୍କୁ ପ୍ରାୟ ୧୦୦୦ ଟଙ୍କାର ସାହାଯ୍ୟ ମିଳୁଛି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ଓ ଅନ୍ୟାନ୍ୟ ଅସ୍ଥିରତା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଗ୍ୟାସ ଦର ବୃଦ୍ଧି ପାଇଛି। ତେବେ ଅନ୍ୟ ଦେଶ ତୁଳନାରେ ଭାରତରେ ଏବେ ବି ଦର କମ୍ ରହିଛି ବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଲଗାତାର ଏଲ୍ପିଜି (LPG) ଦର ବଢ଼ୁଥିବା ବେଳେ ସବସିଡି ସିଲିଣ୍ଡର ସଂଖ୍ୟା କମିବା ସାଧାରଣ ଖାଉଟି, ବିଶେଷ କରି ଗରିବ ପରିବାରଙ୍କ ପାଇଁ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି।