ଭୁବନେଶ୍ଵର: ତିନିଦିନିଆ ଡିଜିପି ସମ୍ମିଳନୀ ନଭେମ୍ବର ୩୦ରୁ ଭୁବନେଶ୍ୱର ଲୋକସେବା ଭବନସ୍ଥିତ ରାଜ୍ୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲିସ ମହାନିର୍ଦ୍ଦେଶକ/ପୁଲିସ ମହାନିରୀକ୍ଷକମାନଙ୍କ ସର୍ବଭାରତୀୟ ସମ୍ମିଳନୀକୁ ଆଜି ସମ୍ବୋଧିତ କରିବେ। ଏହା ପୂର୍ବରୁ ଅମିତ ଶାହା ଓଡ଼ିଶାର ଭୁବନେଶ୍ୱରରେ ପୁଲିସ ମହାନିର୍ଦ୍ଦେଶକ ଓ ପୁଲିସ ମହାନିରୀକ୍ଷକଙ୍କ ୫୯ତମ ସର୍ବଭାରତୀୟ ସମ୍ମିଳନୀର ଉଦ୍ ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇଥିଲେ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସାଇବର ଅପରାଧର ଆହ୍ୱାନର ମୁକାବିଲା ପାଇଁ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି। ବର୍ତମାନ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବୈଷୟିକ ସ୍ତରରେ ସୁଦୃଢ଼ କରିବା ଜରୁରୀ, ଯାହାଦ୍ୱାରା ଯେକୌଣସି ପ୍ରକାର ସୁରକ୍ଷା ଚ୍ୟାଲେଞ୍ଜର ମୁକାବିଲା କରାଯାଇପାରିବ। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ପହଞ୍ଚିଛନ୍ତି।
ଏହି ସମ୍ମିଳନୀରେ ଗୃହମନ୍ତ୍ରୀ ନିଜ ଅଭିଭାଷଣରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ପୁଲିସ ଅଧିକାରୀଙ୍କ ସହ ନିଜର ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି ଯେ ଦେଶର ସୁରକ୍ଷା ଓ ପୁଲିସ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସବୁ ରାଜ୍ୟରେ ମିଳିତ ପ୍ରୟାସ କରାଯିବା ଦରକାର।
ଆଗାମୀ ଦୁଇ ଦିନ ମଧ୍ୟରେ ଦେଶର ଶୀର୍ଷ ପୋଲିସ ନେତୃତ୍ୱ ବାମପନ୍ଥୀ ଉଗ୍ରବାଦ, ଉପକୂଳ ସୁରକ୍ଷା, ନିଶାଦ୍ରବ୍ୟ, ସାଇବର ଅପରାଧ ଏବଂ ଅର୍ଥନୈତିକ ନିରାପତ୍ତା ସମେତ ବର୍ତ୍ତମାନର ଏବଂ ଉଦୀୟମାନ ଜାତୀୟ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ଏହା ସହିତ ତିନୋଟି ନୂଆ ଅପରାଧିକ ଆଇନ ର କାର୍ଯ୍ୟକାରିତାର ଅଗ୍ରଗତି ଏବଂ ପୁଲିସ ସହ ଜଡିତ ସର୍ବୋତ୍ତମ ଅଭ୍ୟାସଗୁଡିକର ମଧ୍ୟ ସମୀକ୍ଷା କରାଯିବ।
ଜମ୍ମୁ-କଶ୍ମୀର, ଉତ୍ତର-ପୂର୍ବ ଏବଂ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳର ସୁରକ୍ଷା ସ୍ଥିତିରେ ଉନ୍ନତି ନେଇ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଭାରତର ଅପରାଧିକ ନ୍ୟାୟ ବ୍ୟବସ୍ଥା ପୂର୍ବରୁ ଦଣ୍ଡ-କେନ୍ଦ୍ରୀତ ଥିଲା, କିନ୍ତୁ ବର୍ତ୍ତମାନ ତିନୋଟି ନୂତନ ଅପରାଧିକ ଆଇନ ପ୍ରଣୟନ ହେବା ପରେ ଏହା ନ୍ୟାୟ କେନ୍ଦ୍ରୀତ ହୋଇଛି। ଏହି ନୂତନ ଆଇନର ମୌଳିକ ଭାବନା ଭାରତୀୟ ପରମ୍ପରାରୁ ପ୍ରେରିତ।
କେନ୍ଦ୍ର ଗୃହମନ୍ତ୍ରୀ ୧୩ ଜଣ ବରିଷ୍ଠ ପୁଲିସ କର୍ମଚାରୀଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ପ୍ରଦାନ କରିଛନ୍ତି। ଏହା ସହ ଦେଶର ୩ଟି ଶ୍ରେଷ୍ଠ ଥାନାକୁ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା। ଏହି ଥାନାଗୁଡ଼ିକ ହେଲା ତେଲେଙ୍ଗାନାର ରାଜେନ୍ଦ୍ର ନଗର, ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପଟ୍ଟାପୁର ଏବଂ ଝାଡ଼ଖଣ୍ଡର ଗିରିଡିହ ଜିଲ୍ଲାର ନିମିଆଘାଟ ଥାନା।
୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ର ଏବଂ ୨୦୨୭ ସୁଦ୍ଧା ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ପୂରଣ କରିବାରେ ସୁରକ୍ଷା ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଗୃହମନ୍ତ୍ରୀ କହିଛନ୍ତି। ଦେଶର ପୂର୍ବ ସୀମାରେ ଉଦୀୟମାନ ସୁରକ୍ଷା ଆହ୍ୱାନ, ଇମିଗ୍ରେସନ ଏବଂ ସହରାଞ୍ଚଳ ପୋଲିସିଂର ଧାରା ଉପରେ ଆମର ଫୋକସ୍ ରହିବା ଉଚିତ୍। ଏହି ସମୟରେ ଶୂନ୍ୟ ସହନଶୀଳତା ନୀତି କାର୍ଯ୍ୟକାରୀ କରିବା ପାଇଁ ଶୂନ୍ୟ ସହନଶୀଳତା ରଣନୀତି ଏବଂ ଶୂନ୍ୟ ସହନଶୀଳତା ପଦକ୍ଷେପ ଦିଗରେ ପଦକ୍ଷେପ ନେବାକୁ ସେ ଆହ୍ୱାନ ଦେଇଥିଲେ।