ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପଞ୍ଜାବର ଆଦମପୁର ଏୟାରବେସରୁ ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଉଚିତ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅପରେସନ ସିନ୍ଦୂର କେବଳ ସ୍ଥଗିତ ରଖାଯାଇଛି, ଏହାକୁ ସ୍ଥାୟୀ ଭାବରେ ବନ୍ଦ କରାଯାଇ ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତ ପାକିସ୍ତାନର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବେ ଆକଳନ କରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୟାନ ପରେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି।
ଜିଓ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଖୱାଜା ଆସିଫ କହିଛନ୍ତି ଯେ ପାକିସ୍ତାନ ଆତଙ୍କବାଦ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ସାରିଛି। ପ୍ରତିରକ୍ଷା ମନ୍ତ୍ରୀ ଆତଙ୍କବାଦ ପ୍ରସଙ୍ଗରେ ନିଜର ମତ ରଖି କହିଛନ୍ତି ବିଶ୍ୱର ଦେଶମାନେ ପାକିସ୍ତାନକୁ ଆସି ତଦନ୍ତ କରିବା ଉଚିତ ଯେ ଏଠାରେ ଆତଙ୍କବାଦୀ ଶିବିର ଅଛି କି ନାହିଁ। ଆମେ ବର୍ଷ ବର୍ଷ ପୂର୍ବରୁ ଆତଙ୍କବାଦ ସହିତ ଆମର ସମସ୍ତ ସମ୍ପର୍କ ଛିନ୍ନ କରି ସାରିଛୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କ ଅଭିଭାଷଣରେ ସ୍ପଷ୍ଟ ଶବ୍ଦରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ ଭାରତ କୌଣସି ପ୍ରକାରର ପରମାଣୁ ବ୍ଲାକମେଲ୍ ସହ୍ୟ କରିବ ନାହିଁ। ଭାରତ ପରମାଣୁ ବ୍ଲାକମେଲର ଆବରଣ ତଳେ ବଢୁଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକ ଉପରେ ଏକ ସଠିକ୍ ଏବଂ ନିର୍ଣ୍ଣାୟକ ଆକ୍ରମଣ କରିବ। ଭାରତର ତିନି ବାହିନୀ, ବାୟୁସେନା, ସ୍ଥଳସେନା ଏବଂ ନୌସେନା, ସୀମା ସୁରକ୍ଷା ବାହିନୀ, ଭାରତର ଅର୍ଦ୍ଧସାମରିକ ବାହିନୀ ନିରନ୍ତର ସଜାଗ ଅଛନ୍ତି। ପାକିସ୍ତାନକୁ ଏଥର କିଛି ବି ଦୁଃସାହସ କଲେ ପୂର୍ବାପେକ୍ଷା ଅଧିକ ଘାତକ ଜବାବ ମିଳିବ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ପରେ ଏବେ ଅପରେସନ ସିନ୍ଦୂର ହେଉଛି ଆତଙ୍କବାଦ ବିରୋଧରେ ଭାରତର ବଳିଷ୍ଠ ନୀତିକୁ ଦର୍ଶାଉଛି। ସେ କହିଛନ୍ତି, "ଅପରେସନ୍ ସିନ୍ଦୁର ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକ ନୂତନ ରେଖା ଟାଣିଛି, ଏକ ନୂତନ ମାନଦଣ୍ଡ, ଏକ ନୂତନ ଦିଗ ସ୍ଥାପନ କରିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯଦି ଭାରତ ଉପରେ ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଏହାର ଉଚିତ ଜବାବ ଦିଆଯିବ। ଆମେ ଆମର ନିଜସ୍ୱ ଉପାୟରେ ଏବଂ ନିଜସ୍ୱ ସର୍ତ୍ତରେ ଜବାବ ଦେବୁ। ଆତଙ୍କବାଦର ମୂଳ ଯେଉଁଠାରୁ ବାହାରିବ, ଆମେ ଖୋଜି ଖୋଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।