ନୂଆଦିଲ୍ଲୀ, ଡିସେମ୍ବର ୦୩ (ଖବର ଓଡ଼ିଶା): କରୋନାର ବିପଦପୂର୍ଣ୍ଣ ଭ୍ୟାରିଆଣ୍ଟ ‘ଓମିକ୍ରନ୍’ ଡିସେମ୍ବର ୨ ତାରିଖରେ ବାଙ୍ଗାଲୁରୁରେ ଚିହ୍ନଟ ହେବା ପରେ କେନ୍ଦ୍ର ସରକାରଙ୍କର ଚିନ୍ତା ବଢ଼ିଛି। ଗତ ୮ ଦିନ ହେବ ଭାରତ ଓମିକ୍ରନ୍ରୁ ବର୍ତ୍ତି ଥିଲା। ଶେଷରେ ଏହା ଚିହ୍ନଟ ହୋଇଛି। ଗୁରୁବାର କର୍ଣ୍ଣାଟକରେ ପ୍ରଥମ ଥର ପାଇଁ ୨ ଜଣ ପୁରୁଷ ଓମିକ୍ରନ୍ ଚିହ୍ନଟ ହେବା ପରେ ଏକାଧିକ ରାଜ୍ୟରେ କଟକଣାକୁ ବଢ଼ାଇ ଦିଆଯାଇଛି।
ଜଣେ ୬୬ ଓ ଅନ୍ୟ ଜଣେ ୪୬ ବର୍ଷୀୟ ବ୍ୟକ୍ତି ଓମିକ୍ରନ୍ ପଜିଟିଭ ଚିହ୍ନଟ ହେବା ପରେ କର୍ଣ୍ଣାଟକ ସରକାର ପ୍ରଶାସନକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରଶାସନ ଓମିକ୍ରନ୍ ପଜିଟିଭଙ୍କ କଣ୍ଟ୍ରାକ୍ଟ ଟ୍ରେସିଂ ଆରମ୍ଭ କରିଦେଇଛି। ରୋଗୀ ଦ୍ବୟଙ୍କ ଜୀନୋମ ସିକ୍ବେନ୍ସିଂ ପାଇଁ ନମୁନା ପଠାଯାଇଛି। ଯଦି ଏହି ଭ୍ୟାରିଆଣ୍ଟ ଡେଲ୍ଟା ଭଳି ହୁଏ, ତାହେଲେ ସଂକଟ ବଢ଼ିବ।
କରୋନା ଭାଇରସ ନ ବ୍ୟାପିବା ପାଇଁ କେନ୍ଦ୍ର ସରକାର ବ୍ୟପକ ପଦକ୍ଷେପ ନେଇଛନ୍ତି। ଡେଲଟା ଭ୍ୟାରିଆଣ୍ଟ ତୁଳନାରେ ୫ଗୁଣ ଦ୍ରୁତଗତିରେ ବଢ଼ିପାରୁଥିବାରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତର ପ୍ରଦେଶ ସରକାରଙ୍କୁ ଠାରୁ ତାମିଲନାଡୁ ପର୍ଯ୍ୟନ୍ତ ତମାମ ସରକାର ପ୍ରଟୋକଲକୁ ଅଧିକ ମଜବୁତ କରିଦେଇଛନ୍ତି। ହାଇରିକ୍ସ ଦେଶରୁ ଆସୁଥିବା ଯାତ୍ରୀମାନେ ଯେତେବେଳେ ମହାରାଷ୍ଟ୍ରର ବିମାନବନ୍ଦରରେ ଓହ୍ଲାଇବେ, ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ସେମାନଙ୍କର ତୁରନ୍ତ ଆରଟିପିସିଆର ପରୀକ୍ଷା ହେବ ଏବଂ ବାଧ୍ୟତାମୂଳକ ଭାବେ ୭ ଦିନ ସଂଗରୋଧରେ ରହିବାକୁ ପଡ଼ିବ।