ମୁମ୍ବାଇ, ଫେବୃଆରୀ ୨୨ (ଖବର ଓଡ଼ିଶା): ମହାରାଷ୍ଟ୍ରର ଜାଲନା ଜିଲ୍ଲା ପ୍ରଶାସନ ଅସ୍ଥାୟୀ ଭାବେ ଏକ ମନ୍ଦିରରେ ତାଲା ପକାଇ ଦେଇଛନ୍ତି । କାରଣ ଏହାର ଆଖପାଖ ଅଂଚଳରେ ୫୫ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଜଣେ ଅଧିକାରୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ରବିବାର କହିଛନ୍ତି ଯେ, ଜୟଦେବ ବାଡ଼ିର ମନ୍ଦିରର ନାମ ଜାଲୀଚା ଦେବ । ଏହା ହେଉଛି ହିନ୍ଦୁମାନଙ୍କର ଅନ୍ୟତମ ଆସ୍ଥାର କେନ୍ଦ୍ର ।
ଜିଲ୍ଲା ପ୍ରଶାସନର ଅଧିକାରୀ କହିଛନ୍ତି ଯେ, ମନ୍ଦିରକୁ ଜିଲ୍ଲା ଓ ମହାରାଷ୍ଟ୍ରର ଅନ୍ୟସ୍ଥାନରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି । ଏଠାରେ କିଛି ଶ୍ରଦ୍ଧାଳୁ ରହିଯାଇଥାନ୍ତି । ମନ୍ଦିର ନିକଟ ଅଂଚଳରେ ୫୫ ଜଣ ଲୋକ କରୋନା ପଜିଟିଚ ଚିହ୍ନଟ ହୋଇଛନ୍ତି । ଏହା ପରେ ମନ୍ଦିରକୁ ଅସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି । ଗ୍ରାମବାସୀ ଓ ମନ୍ଦିର କମିଟିର ସଦସ୍ୟଙ୍କ ଯାଂଚ କରିବା ଲାଗି ସ୍ୱାସ୍ଥ୍ୟ କର୍ମୀଙ୍କ ଏକ ଟିମ ମୁତୟନ ହେବ ।
ମହାରାଷ୍ଟ୍ରରେ କରୋନା ଭାଇରସର ୨ୟ ପ୍ରବାହ ଆଶାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଲକଡାଉନକୁ ନେଇ ବଡ଼ ଘୋଷଣା କରିଛନ୍ତି । ରବିବାର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ପରିସ୍ଥିତି ନିୟନ୍ତ୍ରଣ ବାହାର ହେଲେ ପୁଣି ଥରେ ଲକଡାଉନ ଆରମ୍ଭ ହୋଇଯିବ । ରାଜ୍ୟରେ ମଙ୍ଗଳବାର ଠାରୁ ରାଜନୈତିକ, ଧାର୍ମିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ କଟକଣା ଲାଗୁ ହୋଇଯିବ ।