ନୂଆଦିଲ୍ଲୀ, ଡିସେମ୍ବର ୦୩ (ଖବର ଓଡ଼ିଶା): ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ସ୍କୁଲ ଗୁଡ଼ିକ ପୁଣି ଥରେ ବନ୍ଦ କରିଦିଆଯାଇଛି। ପ୍ରଦୂଷଣ ନିୟନ୍ତ୍ରିତ ହୋଇ ପାରି ନଥିବାରୁ ସ୍କୁଲ ଗୁଡ଼ିକ ପୁଣି ଥରେ ବନ୍ଦ କରି ଦିଆଯାଇଛି। ଅନ୍ୟପଟରେ କରୋନା ଭାଇରସ୍ର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଦିଲ୍ଲୀବାସୀଙ୍କୁ ଡରାଉଛି। ପ୍ରଦୂଷଣ ଯୋଗୁଁ ଅଭିଭାବକ ମାନେ ପିଲାମାନଙ୍କୁ ସ୍କୁଲ ପଠାଇବାକୁ ଚାହୁଁ ନଥିଲେ। ପ୍ରଦୂଷଣ ସଂପୂର୍ଣ୍ଣ ମାତ୍ରାରେ ନିୟନ୍ତ୍ରଣାଧୀନ ହୋଇ ନଥିବା ବେଳେ ଓମିକ୍ରନ୍ ପୁଣି ବିଶ୍ବବାସୀଙ୍କ ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଯଦିଓ ଏପର୍ଯ୍ୟନ୍ତ ଓମିକ୍ରନ୍ ଚିହ୍ନଟ ହୋଇନାହିଁ, ତଥାପି ଅଚାନକ ଚିହ୍ନଟ ନହେବ, ଏହାର କୌଣସି ନିଶ୍ଚିନ୍ତତା ନାହିଁ।
ଏବେ ଅଭିଭାବକମାନେ ଚାହୁଁଛନ୍ତି ଯେ, ସରକାର ଘରୋଇ ସ୍କୁଲର କର୍ତ୍ତୃପକ୍ଷଙ୍କୁ ଅନ୍ଲାଇନ୍ ମାଧ୍ୟମରେ ୟୁନିଟ ଟେଷ୍ଟ ପରୀକ୍ଷା କରିବାକୁ ଆଦେଶ ଦିଅନ୍ତୁ। କାରଣ ଅନେକ ସ୍କୁଲରେ ପିଲାମାନେ ଅଫ୍ଲାଇନ୍ ମାଧ୍ୟମରେ ପରୀକ୍ଷା ଦିଆଯିବାକୁ ନେଇ ଚାପଗ୍ରସ୍ତରେ ରହୁଛନ୍ତି। ଅନ୍ୟପଟରେ ବାରମ୍ବାର ସ୍କୁଲ ବନ୍ଦ ହେବା ଫଳରେ ତାଙ୍କ ସାମ୍ନାରେ ଏକାଧିକ ସମସ୍ୟା ଛିଡ଼ା ହେଉଛି। ପ୍ରତ୍ୟେକ ବର୍ଷ ପ୍ରଦୂଷଣ ହ୍ରାସ କରିବା ପାଇଁ ସରକାରଙ୍କୁ ସ୍ବତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି।
ଦିଲ୍ଲୀ ଅଭିଭାବକ ସଂଗଠନର ସଭାପତି ଅପରାଜିତା ଗୌତମ କହିଛନ୍ତି, ଆମେ ପୂର୍ବରୁ ମଧ୍ୟ କହିଥିଲା, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ଏତେ ଶୀଘ୍ର ହେବାର ନଥିଲା। କାରଣ ପ୍ରଦୂଷଣ ସ୍ତର ନିମ୍ନଗାମୀ ହୋଇନାହିଁ। ସିବିଏସ୍ଇର ୧୦ମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା ଲାଗି ଏଭଳି ନିଷ୍ପତ୍ତି ନିଆଯାଇ ନାହିଁ।