ନୂଆଦିଲ୍ଲୀ, ଜୁନ୍ ୨୫ (ଖବର ଓଡ଼ିଶା): ରାଜଧାନୀ ଦିଲ୍ଲୀରେ ବିଗତ କିଛି ବର୍ଷ ହେଲା ପ୍ରଦୂଷଣ ବଡ଼ ସମସ୍ୟା ରହୁଛି । ଏହି ସମସ୍ୟାରୁ ମୁକୁଳିବା ପାଇଁ ଦିଲ୍ଲୀ ସରକାର ଅକ୍ଟୋବରରୁ ଫେବ୍ରୁଆରୀ ମାସ ଯାଏଁ ଡିଜେଲରେ ପରିଚାଳିତ ହେଉଥିବା ସମସ୍ତ ବାହନ ଉପରେ କଟକଣା ଜାରି କରିଛନ୍ତି । ଅନ୍ୟପଟରେ ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ପରିବହନ ଓ ବ୍ୟବସାୟୀ ଦୁଃଖ ପ୍ରକାଶ କରିଛନ୍ତି ।
ଦିଲ୍ଲୀ ଗୁଡ୍ସ ଟ୍ରାନ୍ସପୋର୍ଟ ଅର୍ଗାନାଇଜେଶନର ସଭାପତି ରାଜେନ୍ଦ୍ର କପୂର କହିଛନ୍ତି, ଦିଲ୍ଲୀକୁ ଦୈନିକ ଦେଢ଼ ଲକ୍ଷ ଡିଜେଲ ବାହନ ଦେଶର ଭିନ୍ନ ଭିନ୍ନ ରାଜ୍ୟରୁ ଆସିଥାଏ । ଯଦି ଏହି ବାହନଗୁଡ଼ିକୁ ବନ୍ଦ କରିଦିଆଯିବ, ତାହେଲେ ସେମାନଙ୍କ ବ୍ୟବସାୟ ଉପରେ ବଡ଼ ପ୍ରଭାବ ପଡ଼ିବ । ଏଥି ସହିତ ପରିବହନ ସେକ୍ଟରରେ କାର୍ଯ୍ୟରତ ଶ୍ରମିକ ବେରୋଜଗାର ହୋଇଯିବେ ।
ପରିବହନ ସଂସ୍ଥାମାନେ ପ୍ରଶ୍ନ ଉଠାଇଛନ୍ତି ଯେ, ସରକାର ପ୍ରଦୂଷଣ କାରଣରୁ କେବଳ ଡିଜେଲରେ ପରିଚାଳିତ ବାହନକୁ ନଜର ରଖୁଛନ୍ତି । କିନ୍ତୁ ପ୍ରଦୂଷଣ ହେବାର ମୁଖ୍ୟ କାରଣ ନିର୍ମାଣ କାମ ଓ କଳକାରଖାନା । କିନ୍ତୁ ସରକାର ଏହାରି ଉପରେ କଟକଣା କାହିଁକି ଲଗାଉନାହାନ୍ତି ।