ଶ୍ରୀନଗର, ଅକ୍ଟୋବର ୦୪ (ଖବର ଓଡ଼ିଶା): ଜମ୍ମୁ କଶ୍ମୀରର ଡିଜି (ଜେଲ) ଏଚ୍କେ ଲୋହିଆଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ତାଙ୍କର ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ସନ୍ଦେହ କରୁଛି । ପୁଲିସ ହତ୍ୟା ସମେତ ଅନ୍ୟ ପାରିପାଶ୍ୱିର୍କ ଅବସ୍ଥାକୁ ନେଇ ମଧ୍ୟ ଘଟଣାର ତଦନ୍ତ କରୁଛି ।
ଗଣମାଧ୍ୟମର ରିପୋର୍ଟ ଅନୁସାରେ ହେମନ୍ତ କୁମାର (ଏଚ୍କେ) ଲୋହିଆ ଜମ୍ମୁ କଶ୍ମୀରର ଡିଜ (ଜେଲ) ଥିଲେ । ତାଙ୍କର ଘରକୁ ମରାମତି କରାଯାଉଥିଲା ଏବଂ ଏହି କାରଣରୁ ସେ ଜମ୍ମୁରେ ନିଜର ବନ୍ଧୁ ରାଜୀବ ଖଜୁରିଆଙ୍କ ପରିବାର ସହିତ ରହୁଥିଲେ । ବନ୍ଧୁଙ୍କ ଘରେ ହିଁ ସୋମବାର ରାତି ସନ୍ଦିଗ୍ଧ ପରିସ୍ଥିତିରେ ତାଙ୍କର ମୃତଦେହ ମିଳିଛି ।
ଏନେଇ ପୁଲିସକୁ ସୂଚନା ପ୍ରଦାନ କରାଯାଇଛି । ଜମ୍ମୁ କଶ୍ମୀର ଡିଜି ଜେଲ ଏଚ୍କେ ଲୋହିଆଙ୍କ ମୃତଦେହ ମିଳିବା ପରେ ପୁଲିସ ସକ୍ରିୟ ହୋଇଯାଇଛି । ପୁଲିସ ଟିମ୍ ରାଜୀବ ଖଜୁରିଆଙ୍କ ଘରେ ପହଂଚିଥିଲା । ଏଥି ସହିତ ଏକ ମାମଲା ରୁଜୁ କରି ବିଭିନ୍ନ ପାରିପାଶ୍ୱିର୍କ ପରିସ୍ଥିତିକୁ ନେଇ ଘଟଣାର ତଦନ୍ତ କରୁଛି ।