ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ପରଲୋକରେ ବୁଧବାର ପୂରା ଦେଶବାସୀଙ୍କ ଆଖିରୁ ଲୁହ ବାହାରିଛି । ଜୀବନ ଯୁଦ୍ଧରେ ୪୨ ଦିନ ପର୍ଯ୍ୟନ୍ତ ସଂଘର୍ଷ କରି ଶେଷରେ ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ହୋଇଛି । ଦିଲ୍ଲୀରେ ଆଜି (ଗୁରୁବାର) ପୂର୍ବାହ୍ନ ସାଢ଼େ ୯ଟାରେ କମେଡିଆନ ରାଜୁଙ୍କ ଅନ୍ତିମ ସଂସ୍କାର କରାଯିବ । ରାଜୁ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଶୋବିଜ ଇଣ୍ଡଷ୍ଟ୍ରି ସମେତ ପୂରା ଦେଶ ଦୁଃଖ ଓ ଶୋକରେ ବୁଡ଼ିଛି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସ ୧୦ ତାରିଖରେ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଘଟଣା ଦିନ ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବ ହୋଟେଲର ଜିମରେ ୱାର୍କଆଉଟ କରୁଥିଲେ । ସେହି ସମୟରେ ଅଚାନକ ଟ୍ରେଡମିଲରେ ଚାଲୁଥିବା ରାଜୁଙ୍କୁ ହୃଦଘାତ ହୋଇଥିଲା । ଫଳରେ ସେ ତଳେ ପଡ଼ିଯାଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ତାଙ୍କୁ ଜରୁରୀକାଳୀନ ବିଭାଗରେ ଡାକ୍ତରମାନେ ସ୍ୱତନ୍ତ୍ର ନଜରରେ ରଖିଥିଲେ । ରାଜୁ ଶ୍ରୀବାସ୍ତବଙ୍କ ଏଞ୍ଜିୟୋଗ୍ରାଫି କରାଯାଇଛି, ଯେଉଁଥିରେ ୧୦୦ ପ୍ରତିଶତ ବ୍ଲକ ମିଳିଥିଲା । ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି । ପରେ କାର୍ଡିକ କେୟାର ୟୁନିଟକୁ ସ୍ଥାନାନ୍ତରିତ କରାଯାଇଥିଲା ।