ପୁଣେ, ଫେବୃଆରୀ ୨୩ (ଖବର ଓଡ଼ିଶା): କରୋନା ଭାଇରସ ପୁଣି ଥରେ ମହାରାଷ୍ଟ୍ରକୁ ଗ୍ରାସ କରିଛି । ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣ ବଢ଼ିଥିବାରୁ ସରକାର କଟକଣା ଲାଗୁ କରିଛନ୍ତି । ଉଦ୍ଧବ ଠାକରେ ସରକାର ଦ୍ୱିତୀୟ ନିୟମକୁ କଡ଼ାକଡ଼ି କରିଦେଇଛନ୍ତି । ସୋମବାର ମୁମ୍ବାଇ ପରେ ପୁଣେରେ ମଧ୍ୟ ଏକ ବିବାହ ସମାରୋହରେ ଅଧିକ ଅତିଥି ଆସିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୂର୍ବତନ ସାଂସଦଙ୍କ ଝିଅ ବାହାଘରରେ କରୋନା ମାର୍ଗଦର୍ଶିକା ପାଳନ ହୋଇ ନଥିବା ଅଭିଯୋଗ ହୋଇଛି ।
ସମାରୋହରେ ଆବଶ୍ୟକତା ଠାରୁ ଅଧିକ ଲୋକ ଏକତ୍ର ହୋଇଥିଲେ ବୋଲି କୁହାଯାଉଛି । ଏନସିପି ନେତା ଶରଦ ପାୱାରଙଙ୍କ ସମେତ ଅନ୍ୟ ଜଣାଶୁଣା ଚେହେରା ମଧ୍ୟ ଏଠାକୁ ଆସିଥିଲେ । ପ୍ରଶାସନ ପକ୍ଷରୁ କରୋନା ଗାଇଡଲାଇନ ଉଲ୍ଲଂଘନ ବିରୋଧରେ ମାମଲା ରୁଜୁ କରିଛି । ଏହା ପୂର୍ବରୁ ମୁମ୍ବାଇ ପୋଲିସ ଜିମଖାନାର ସଚିବ ଏବଂ କ୍ୟାଟରଙ୍କୁ ପରିସରରେ ଅନୁଷ୍ଠିତ ବିବାହ ସମାରୋହକୁ ନେଇ ମାମଲା ରୁଜୁ କରିଥିଲା ।
ଏହି ବିବାହ ସମାରୋହ ରବିବାର ଦିନ ଅନୁଷ୍ଠିତ ହୋଇଥିଲା । ୪ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରାଯାଇଥିଲା । ବିବାହ ସମାରୋହରେ ୧୫୦ରୁ ଅଧିକ ଲୋକ ଥିଲେ ।