ଉତ୍ତର ପ୍ରଦେଶ: କାନପୁରରେ ସିଓ ଓ ଏସଓ ସମେତ ୮ ପୋଲିସ କର୍ମଚାରୀ ସହିଦ, ୬ ଜଣ ଆହତ
Khabar Odisha:Nation-Attack-on-police-team-in-Kanpur-8-policemen-including-co-and-sho-killed-6-injured

କାନପୁର, ଜୁଲାଇ ୦୩ (ଖବର ଓଡ଼ିଶା): ଉତ୍ତର ପ୍ରଦେଶରେ କାନପୁର ବିଠୁରରେ ଦୁର୍ବୃତ୍ତମାନେ ପୋଲିସ ଟିମ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ୮ ଜଣ ପୋଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ଆହତ ପୋଲିସ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଅଭାବନୀୟ ଘଟଣା ଶିୱଲି ଥାନା ଅନ୍ତର୍ଗତ ଭିକରୁ ଗାଁରେ ଘଟିଛି । 

ସିଓ ଓ ବିଠୁର ଥାନା ପ୍ରଭାରୀ ସମେତ ଅନ୍ୟ ପୋଲିସ କର୍ମଚାରୀଙ୍କ ଦେହରେ ଗୁଳି ବାଜିଛି । ଆହତ ପୋଲିସ କର୍ମଚାରୀଙ୍କୁ ରିଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ବିକାଶ ଦୁବେ ନାମରେ ଜଣେ ଅଭିଯୁକ୍ତକୁ ଧରିବା ପାଇଁ ଭିକରୁ ଗାଁ ଯାଇଥିଲା । ଆକ୍ରମଣକାରୀମାନେ ଛାତ ଉପରୁ ପୋଲିସ ଉପରକୁ ଗୁଳି କରିଥିଲେ । 

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସହିଦ ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ପୋଲିସ ଯବାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ବୃତ୍ତମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେ ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସହିତ ଲଗାତାର ସଂପର୍କ କରୁଛନ୍ତି । 

ଉତ୍ତର ପ୍ରଦେଶ ଡିଜିପି ହିତେନ୍ଦ୍ର ଚନ୍ଦ୍ର ଅୱସ୍ଥି କହିଛନ୍ତି, ପୋଲିସକୁ ଅଟକାଇବା ପାଇଁ ଦୁର୍ବୃତ୍ତମାନେ ଗୁଳି ଚଳାଇଥିଲେ । ରାସ୍ତାରେ ଜେସିବି ଲଗାଇ ଦେଇଥିଲେ । ସେମାନେ ଯୋଜନାମୂଳକ ଭାବେ ଆକ୍ରମଣ କରିଥିଲେ । 

ସହିଦ ପୋଲିସମାନେ ହେଲେ: ସିଓ ବିହ୍ଲୋର ଦେବେନ୍ଦ୍ର ମିଶ୍ର, ଏସଓ ଶିବରାଜପୁର ମହେଶ ଯାଦବ, କନଷ୍ଟେବଳ ରାହୁଲ, ବବଲୁ, ଜିତେନ୍ଦ୍ର ଆଦି । କାନପୁର ଆଇଜି ରେଞ୍ଜ ମୋହିତ କୁମାର କହିଛନ୍ତି ୧୦ରୁ ୧୫ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଘଟଣା ପରେ ପୋଲିସ କମ୍ବିଂ ଅପରେଶନ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି । 

 

  • Tags:

Subscribe

National International State Sports Entertainment