ନୂଆଦିଲ୍ଲୀ: ସେନାରେ ଯିବାକୁ ପ୍ରସ୍ତୁତି କରୁଥିବା ଅଗ୍ନିବୀରଙ୍କୁ ସରକାର ଶୀଘ୍ର ବଡ ଉପହାର ଦେଇ ପାରନ୍ତି । ୪ ବର୍ଷର ଅବଧି ପୂରଣ ପରେ ସେନାରେ ଅଗ୍ନିବୀରଙ୍କୁ ରଖିବାର ସମୟ ସୀମା ବଢାଇ ପାରନ୍ତି ସରକାର । ବର୍ତ୍ତମାନର ନିୟମ ଅନୁସାରେ କେବଳ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ରଖାଯାଉଛି । ତେବେ ଏଥିରେ କେନ୍ଦ୍ର ସରକାର ପରିବର୍ତ୍ତନ କରିବାକୁ ଯାଉଛନ୍ତି ।
ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ସରକାର ଅଗ୍ନିପଥ ଯୋଜନାରେ କିଛି ପରିବର୍ତ୍ତନ କରିବାକୁ ଯୋଜନା କରୁଛନ୍ତି । ଏହାରି ଆଧାରରେ ଅଧିକରୁ ଅଧିକ ଅଗ୍ନିବୀରଙ୍କୁ ସେନାରେ ଅବସ୍ଥାପିତ କରାଯିବ । ଏଥିସହ ଦରମାରେ ମଧ୍ୟ ପରିବର୍ତ୍ତନ କରାଯିବ । ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ । କେବଳ ଏତିକି କୁହାଯାଉଛି ଯେ, ଯୋଜନାର ଲାଭ ଏବଂ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା ଉଦ୍ଦେଶ୍ୟରେ ଏଥିରେ ପରିବର୍ତ୍ତନ କରାଯିବ ।
ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଅଗ୍ନିବୀରଙ୍କୁ ସେବାରେ ବଜାୟ ରଖିବା ପାଇଁ ସମୟ ସୀମା ବୃଦ୍ଧି ନେଇ ଆଲୋଚନା ଜାରି ରହିଛି । ଏମିତି ହେଲେ ୪ ବର୍ଷ ସେବା ପୂରଣ କରି ସାରିଥିବା ଅଧିକରୁ ଅଧିକ ଅଗ୍ନିବୀର ସେନାରେ ରହି ପାରିବେ । ବର୍ତ୍ତମାନ କେବଳ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ ସେନାରେ ନିୟମିତ ଭାବେ ଚାକିରି ଦିଆଯାଉଛି ।