ସାମରିକ ଦୃଷ୍ଟିରୁ ଭାରତକୁ ଆତ୍ମନିର୍ଭର କରାଇବା ପାଇଁ ମୋଦୀ ସରକାର ତତ୍ପର ରହିଥିବା ବେଳେ ମଙ୍ଗଳବାର ପୋଖରାନରେ ସାମରିକ ଶକ୍ତି ଦେଖାଇବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ରାଜସ୍ଥାନସ୍ଥିତ ପୋଖରାନରେ ଭାରତର ଜଳ, ସ୍ଥଳ ଏବଂ ବାୟୁସେନାର ମିଳିତ ସ୍ତରରେ ଏକ ବଡ଼ ସମରାଭ୍ୟାସ ହେବାକୁ ଯାଉଛି। ତିନି ସେନାର ସ୍ୱଦେଶୀ ଯୁଦ୍ଧାସ୍ତ୍ରକୁ ନେଇ ପ୍ରଦର୍ଶିତ ହେବ ‘ଭାରତ ଶକ୍ତି’। ସେନାରେ ସାମିଲ ହେଉଥିବା ଅସ୍ତ୍ରଶସ୍ତ୍ର, ସ୍ୱଦେଶୀ ହତିଆରର କ୍ଷମତା ତଥା ଶକ୍ତି ପ୍ରଦର୍ଶନ ପାଇଁ ଆୟୋଜିତ ହେବ ଏହି କାର୍ଯ୍ୟକ୍ରମ । ଭାରତୀୟ ସେନାର ଏହି ସମରାଭ୍ୟାସକୁ ‘ଭାରତ ଶକ୍ତି’ ନାମ ଦିଆଯାଇଛି।
ଏହି ସମରାଭ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି। ଏହି ଗସ୍ତ ସମୟରେ ‘ଭାରତ ଶକ୍ତି’ ସାମରିକ ଅଭ୍ୟାସର ତଦାରଖ କରିବେ ମୋଦୀ। ସେନାର ଶକ୍ତି ତଥା ଆତ୍ମବିଶ୍ୱାସକୁ ଉଚ୍ଚ ସ୍ତରରେ ପହଞ୍ଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ସ୍ୱଦେଶୀ ଅସ୍ତ୍ର କେତେ ସକ୍ଷମ ଓ କେତେ ଭରସାଯୋଗ୍ୟ ଏନେଇ ପରୀକ୍ଷଣ କରାଯିବ। ଏହି କାର୍ଯ୍ୟକ୍ରମରେ ଟ୍ୟାଙ୍କ, ତୋପ, ଡ୍ରୋନ୍, ରୋବଟ୍, ହେଲିପକ୍ଟର ଓ ଫାଇଟର ଜେଟ୍ ଆଦି ପ୍ରଦର୍ଶିତ ହେବ। ଏହି କାର୍ଯ୍ୟକ୍ରମରେ ୪୦ଟି ଦେଶର ପ୍ରତିନିଧି ସାମିଲ ହେବେ। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ସିଡିଏସ୍ ଅନୀଲ ଚୌହ୍ୱାନ, ତିନି ସେନାର ମୁଖ୍ୟ ଏହି ସାମରିକ ଅଭ୍ୟାସ ବେଳେ ଉପସ୍ଥିତ ରହିବେ।
ଅଧିକ ପଢନ୍ତୁ: ବିଜେପିର CEC ବୈଠକ; ଖୁବଶୀଘ୍ର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା