ସାଙ୍ଗମାନଙ୍କ ସହ କ୍ରିକେଟ ଖେଳିବା ସାଜିଲା କାଳ। କ୍ରିକେଟ ଖେଳିବା ବେଳେ ବଲ୍ ବାଜିବାରୁ ଫିଲ୍ଡରେ ହିଁ ଚାଲିଗଲା ୧୧ ବର୍ଷୀୟ ନାବାଳକଙ୍କ ଜୀବନ। ଏପରି ଏକ ଅଘଟଣ ମହାରାଷ୍ଟ୍ରର ପୁଣେରେ ଘଟିଛି। ମୃତ ନାବାଳକ ଜଣକ ଲୋହ ଗାଁର ଶୌର୍ଯ୍ୟ ବୋଲି ଜଣାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ଅପମୃତ୍ୟୁ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ପୁଣେର ଲୋହଗାଁରେ ଥିବା ଫିଲ୍ଡରେ ନାବାଳକ ଜଣଙ୍କ ନିଜ ସାଙ୍ଗଙ୍କ ସହ କ୍ରିକେଟ ଖେଳିବା ପାଇଁ ଆସିଥିଲେ। କ୍ରିକେଟ ଖେଳିବା ବେଳେ ବଲ୍ଟି ଆସି ନାବାଳାଙ୍କ ପ୍ରାଇଭେଟ ପାର୍ଟରେ ବାଜିଥିଲା। ଫଳରେ ସେ ତଳେ ପଡ଼ି ଛଟପଟ ହୋଇଥିଲେ। ଏହାପରେ ତାଙ୍କ ସାଙ୍ଗମାନେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ଏହି ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଏହି ଦୁର୍ଘଟଣା ଘଟିବା ପରେ ଚାରିଆଡେ ଶୋକାକୁଳ ପରିବେଶ ଛାଇଯାଇଛି।