ନୂଆଦିଲ୍ଲୀ: ଦେଶର ଚର୍ଚ୍ଚିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (JNU)ରେ ପୁଣିଥରେ ଏକ ବଡ଼ ବିବାଦ ଦେଖାଦେଇଛି। ଜେଏନ୍ୟୁ ପ୍ରଶାସନ ପକ୍ଷରୁ ପୂର୍ବତନ ଛାତ୍ର ତଥା ଜେଲରେ ଥିବା ଉମର ଖାଲିଦଙ୍କ ଏକ ପୁସ୍ତକ ଉପରେ ଆୟୋଜିତ ହେବାକୁ ଥିବା ଆଲୋଚନା ସଭାକୁ ହଠାତ୍ ରଦ୍ଦ କରାଯାଇଛି। କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମ ପାଇଁ କରାଯାଇଥିବା ଅଡିଟୋରିୟମ ବୁକିଂକୁ ମଧ୍ୟ ପ୍ରଶାସନ ପକ୍ଷରୁ ବାତିଲ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ୟାମ୍ପସରେ ଉମର ଖାଲିଦଙ୍କ ବହିକୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ଛାତ୍ର ସଂଗଠନ ପକ୍ଷରୁ ପ୍ରସ୍ତୁତି କାମ ଚାଲିଥିଲା। ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଅଡିଟୋରିୟମ ମଧ୍ୟ ବୁକ୍ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମର ଠିକ୍ ପୂର୍ବରୁ ପ୍ରଶାସନ ଏହି ବୁକିଂକୁ ରଦ୍ଦ କରିଦେଇଛି।
ପ୍ରଶାସନର ଏଭଳି ନିଷ୍ପତ୍ତି ପରେ କ୍ୟାମ୍ପସରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ପଦକ୍ଷେପକୁ ବିରୋଧ କରି ଛାତ୍ର ସଂଗଠନଗୁଡ଼ିକ ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି। କ୍ୟାମ୍ପସରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହି କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇ ନଥିବା କୁହାଯାଉଛି।
ଅନ୍ୟପକ୍ଷେ, ଛାତ୍ରମାନେ ଏହାକୁ ମତ ପ୍ରକାଶର ସ୍ୱାଧୀନତା ଉପରେ ହସ୍ତକ୍ଷେପ ବୋଲି ଅଭିଯୋଗ କରିଛନ୍ତି। ବହି ଉପରେ ଆଲୋଚନାକୁ ବନ୍ଦ କରିବା ନିଷ୍ପତ୍ତିକୁ ନେଇ ଏବେ ଜେଏନ୍ୟୁ ପୁଣିଥରେ ରାଜନୈତିକ ଏବଂ ଶିକ୍ଷା ଜଗତର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଲାଗିରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି।
Also Read: ଯୁବପିଢିଙ୍କୁ ଅସରପା କହିଥିବା ବ୍ୟକ୍ତିଠୁ ଡିଗ୍ରୀ ଗ୍ରହଣ କରିବୁ ନାହିଁ...ସମାବର୍ତ୍ତନ ଉତ୍ସବକୁ ସିଜେଆଇଙ୍କୁ ଡକାଇବା ନେଇ ଉତ୍ତେଜନା