ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରତିଷ୍ଠିତ ଆଇନ ବିଶ୍ୱବିଦ୍ୟାଳୟ NALSAR ରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ହାଇଦ୍ରାବାଦସ୍ଥିତ NALSAR ୟୁନିଭର୍ସିଟି ଅଫ୍ ଲ’ର ଆସନ୍ତା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଥିବା ସୁପ୍ରିମକୋର୍ଟର ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ନେଇ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବିଶ୍ୱବିଦ୍ୟାଳୟର କିଛି ଛାତ୍ରଛାତ୍ରୀ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରଣ କରାଯିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଛାତ୍ର ସଂଘ ଓ କିଛି ବର୍ଗ ଏହି ନିଷ୍ପତ୍ତିକୁ ବିରୋଧ କରି କର୍ତ୍ତୃପକ୍ଷଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିଛନ୍ତି।
ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କ ଯୁକ୍ତି ରହିଛି ଯେ, ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ଛାତ୍ରସଂଘ କିମ୍ବା କ୍ୟାମ୍ପସର ମତାମତ ନିଆଯିବା ଉଚିତ ଥିଲା। କେତେକ ପ୍ରସଙ୍ଗରେ ନ୍ୟାୟପାଳିକାର ଭୂମିକାକୁ ନେଇ ପ୍ରଶ୍ନ ଉଠାଇ ଏହି ବିରୋଧ କରାଯାଉଥିବା ଚର୍ଚ୍ଚା ହେଉଛି।
ଛାତ୍ରମାନେ ନିକଟ ଘଟଣାକ୍ରମ ବିଷୟରେ ଉଲ୍ଲେଖ କରି ଯୁକ୍ତି ବାଢିଛନ୍ତି ଯେ, ପ୍ରଧାନ ବିଚାରପତିଙ୍କୁ ମୁଖ୍ୟ ଅତିଥି ଭାବେ ଆମନ୍ତ୍ରିତ କରିବା ସାମ୍ବିଧାନିକ ଉତ୍ତରଦାୟିତ୍ୱ ଏବଂ ଶିକ୍ଷାନୁଷ୍ଠାନ ସ୍ୱାଧୀନତାର ସିଦ୍ଧାନ୍ତ ବିରୋଧୀ । ଯୁବ ପିଢିଙ୍କୁ ଅସରପା ସହ ତୁଳନା କରିବା, ପୁଣି ପୋଲିସ ବର୍ବରତାର ଭିଡିଓ ଦେଖିବାକୁ ସମୟ ନ ଥିବା ପରି ଅସମ୍ବେଦଶୀଳ ବୟାନ ଦେବା ସିଜେଆଇଙ୍କ ପକ୍ଷେ ଶୋଭା ପାଉନି । ଦେଶର ବର୍ତ୍ତମାନର ପ୍ରଧାନ ବିଚାରପତି ଛାତ୍ର ସମାଜ ପାଇଁ ଉଦାସୀନତା ଦେଖାଇଛନ୍ତି । ତେଣୁ ଏମିତି ସିଜେଆଇଙ୍କ ହାତରୁ ଆମେ ଡିଗ୍ରୀ ଗ୍ରହଣ କରିବା ଉଚିତ୍ ଲାଗୁନି ।
ତେବେ ଏହି ବିବାଦ ସାମ୍ନାକୁ ଆସିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପ୍ରଶାସନ ପକ୍ଷରୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରାଯାଉଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଥିବା ଅସନ୍ତୋଷକୁ ଦୂର କରିବା ପାଇଁ ଆଲୋଚନା ଜାରି ରହିଥିବା ଜଣାପଡ଼ିଛି। ଏହି ସମଗ୍ର ଘଟଣାକୁ ନେଇ ଏବେ ଆଇନ ମହଲ ଏବଂ ଶିକ୍ଷା ଜଗତରେ ଚର୍ଚ୍ଚା ଜୋର ଧରିଛି। ଦେଶର ଏକ ପ୍ରମୁଖ ଆଇନ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଏପରି ପ୍ରତିବାଦ କ୍ୟାମ୍ପସ ରାଜନୀତିକୁ ସରଗରମ କରିଛି।