ସୋପୋର:ଜାମ୍ମୁ-କାଶ୍ମୀରର ସୋପୋରରେ ପ୍ରତିବନ୍ଧିତ ସଂଗଠନ 'ଜମାତ୍-ଏ-ଇସଲାମୀ' ସହ ଜଡ଼ିତ ସନ୍ଦିଗ୍ଧ ନେଟୱର୍କ ବିରୋଧରେ ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। UAPA ମାମଲାର ତଦନ୍ତ ଅଧୀନରେ ୨୬ଟି ଠିକଣାରେ ଏକକାଳୀନ ସର୍ଚ୍ଚ ଅପରେସନ ଜାରି ରହିଛି ।
ଜାମ୍ମୁ-କାଶ୍ମୀରରେ ଆତଙ୍କବାଦର ସମ୍ପୂର୍ଣ୍ଣ ସଫାୟା ପାଇଁ କ୍ରମାଗତ ଭାବେ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହଯୋଗୀ ଓ ମଦଦଗାରଙ୍କ ଉପରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଉତ୍ତର କାଶ୍ମୀରର ବାରାମୁଲା ଜିଲ୍ଲା ସୋପୋର ଏବଂ ଏହାର ଆଖପାଖ ଅଞ୍ଚଳରେ ପୋଲିସ ପକ୍ଷରୁ ସବିଶେଷ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।
ପ୍ରତିବନ୍ଧିତ ସଂଗଠନ ଜମାତ୍-ଏ-ଇସଲାମୀ ସହ ଜଡ଼ିତ ସନ୍ଦିଗ୍ଧ ନେଟୱର୍କର ଯାଞ୍ଚ ଅଧୀନରେ ପୋଲିସ ପ୍ରାୟ ୨୬ଟି ଠିକଣାରେ ଏକାସାଙ୍ଗରେ ସର୍ଚ୍ଚ ଅପରେସନ ଜାରି ରହିଛି । ବେଆଇନ କାର୍ଯ୍ୟକଳାପ ନିରୋଧୀ ଆଇନ୍ (UAPA) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାର ତଦନ୍ତ ସିଲସିଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ସୋପୋରରେ ଚାଲିଲା ତଲାସି ଅଭିଯାନ:
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜାମ୍ମୁ-କାଶ୍ମୀର ପୋଲିସ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (CRPF) ସହାୟତାରେ ସୋପୋରର ବିଭିନ୍ନ ଅଞ୍ଚଳରେ ଏକକାଳୀନ ଯାଞ୍ଚ କରିଛି। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ପ୍ରତିବନ୍ଧିତ ସଂଗଠନ ସହ ଜଡ଼ିତ ଲୋକ ଏବଂ ଏହାର କଥିତ ନେଟୱର୍କ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏକାଠି କରିବା। ପୋଲିସ ଓ ସୁରକ୍ଷାବଳର ଟିମ୍ ସୋପୋରର ସାଦିକ କଲୋନୀ, ବୋମାଇ, ଗୋରୀପୋରା, ତରଜୁ, ଶୁଟଲୁ ରୋହାମା ଏବଂ ରଫିଆବାଦର ବେହରାମପୋରା ସମେତ ବହୁ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚଳାଇଛନ୍ତି। ଅଧିକାରୀମାନେ ଜଣାଇଛନ୍ତି ଯେ ସୋପୋରର ଅନ୍ୟ କେତେକ ଅଞ୍ଚଳରେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।
UAPA ଅଧୀନରେ ମାମଲା ରୁଜୁ:
ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାବଳ ସନ୍ଦିଗ୍ଧ ପରିସର ଓ ସମ୍ପୃକ୍ତ ସ୍ଥାନଗୁଡ଼ିକୁ ଯାଞ୍ଚ କରିଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଚାଲିଥିବା ତଦନ୍ତର ଏକ ଅଂଶ ଏବଂ ଏହାର ଲକ୍ଷ୍ୟ ହେଉଛି ଜମାତ୍-ଏ-ଇସଲାମୀ ସହ ଜଡ଼ିତ ନେଟୱର୍କ ଓ ଏହାର ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା। ସୋପୋରର ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (SSP) ଇଫ୍ତିଖାର ତାଲିବ ମଧ୍ୟ ଏହି ସର୍ଚ୍ଚ ଅପରେସନକୁ ସ୍ପଷ୍ଟ କରିଛନ୍ତି। UAPA ଅଧୀନରେ ରୁଜୁ ମାମଲାର ତଦନ୍ତ ସହ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ସେ ସୂଚନା ଦେଇଛନ୍ତି।
ତଦନ୍ତରେ ସୁରକ୍ଷାବଳ ଟିମ୍:
ତେବେ ଏପର୍ଯ୍ୟନ୍ତ ପୋଲିସ ପକ୍ଷରୁ ଗିରଫ କିମ୍ବା ଜବତ ସାମଗ୍ରୀ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇନାହିଁ। ଅଧିକାରୀଙ୍କ ଅନୁସାରେ, ସର୍ଚ୍ଚ ଅପରେସନ ଶେଷ ହେବା ପରେ ମିଳିଥିବା ସାମଗ୍ରୀ ଓ କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ପ୍ରଦାନ କରାଯିବ। ବର୍ତ୍ତମାନ ସୁରକ୍ଷାବଳର ଅନେକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ଏବଂ ସମଗ୍ର ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଗତ ମେ' ୨୫ ତାରିଖରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଜମାତ୍-ଏ-ଇସଲାମୀ ସହ ଜଡ଼ିତ ଆତଙ୍କୀ ଫଣ୍ଡିଂ ତଦନ୍ତ ସହ କାଶ୍ମୀର ଉପତ୍ୟକାର ଅନେକ ସ୍ଥାନରେ ଚଢ଼ଉ କରିଥିଲା। ସେହି ସମୟରେ ଅନେକ ଶିକ୍ଷାନୁଷ୍ଠାନ ଏବଂ ପ୍ରତିବନ୍ଧିତ ସଂଗଠନର ଜଣେ ପୂର୍ବତନ ମୁଖ୍ୟଙ୍କ ବାସଭବନରେ ଚଢ଼ାଉ କରାଯାଇଥିଲା ।