ଗତ ଜାନୁଆରୀ ୨୨ ତାରିଖ ଥିଲା ସାରା ଭାରତୀୟମାନଙ୍କ ପାଇଁ ଏକ ଅବିସ୍ମରଣୀୟ ଦିନ । ଦୀର୍ଘ ୫୦୦ ବର୍ଷ ଅପେକ୍ଷାର ଅନ୍ତ ଘଟିଥିଲା । ଏହି ଦିନ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ । ସୂଚନା ଅନୁସାରେ, ରାମ ମନ୍ଦିର ପ୍ରତିଷ୍ଠା ପରେ ଫିଜିର ଉପ-ପ୍ରଧାନମନ୍ତ୍ରୀ ବିମାନ ପ୍ରସାଦ ରାମ ମନ୍ଦିର ପରିଦର୍ଶନ କରିଛନ୍ତି । ପ୍ରଥମ ବିଦେଶୀ ନେତା ଭାବେ ସେ ଅଯୋଧ୍ୟା ପରିଭ୍ରମଣ କରିଛନ୍ତି ବୋଲି ସୂଚନା ମିଳିଛି । ଫିଜିର ଉପ-ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଫିଜି ଓ ଭାରତ ମଧ୍ୟରେ ସମ୍ପର୍କ ଭବିଷ୍ୟତକୁ ଆହୁରି ସୁଦୃଢ଼ ହେବ । ଫିଜିର ପ୍ରଶାସନ, ନ୍ୟାୟ ଏବଂ ନୀତି ନିର୍ଦ୍ଧାରଣ ମଧ୍ୟ ଭଗବାନ ରାମଙ୍କ ଜୀବନରୁ ପ୍ରେରିତ । ସେ ମଧ୍ୟ ଆହୁରି କହିଛନ୍ତି ଯେ, ଦୀପାବଳି ପର୍ବ ଦିନ ଫିଜିରେ ଛୁଟି ଘୋଷଣା କରାଯିବ । ରାମଙ୍କ ଆଗମନ ପାଇଁ ଦେଶ ଠାରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦିତ ହୋଇଥିଲେ ।