ନୂଆଦିଲ୍ଲୀ: ଆଜି ମିଆଁମାର ଓ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୭ ରେକର୍ଡ କରାଯାଇଛି । ଭୂକମ୍ପର ତୀବ୍ରତା ଏତେ ଶକ୍ତିଶାଳୀ ଥିଲା ଯେ, ଅନେକ କୋଠା ନିମିଷକେ ମାଟିରେ ମିଶି ଯାଇଛି । ଅନେକ ସ୍ଥାନରେ ପ୍ରକୃତିର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଏହି ପ୍ରାକୃତିକ ବିପର୍ଯ୍ୟୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ବ୍ୟକ୍ତ କରିବା ସହ ସାମାଜିକ ଗଣମାଧ୍ୟମରେ ସଙ୍କଟର ଏହି ସମୟରେ ପ୍ରଭାବିତ ଦେଶମାନଙ୍କ ସହ ଭାରତର ପୂର୍ଣ୍ଣ ସହାନୁଭୂତି ବ୍ୟକ୍ତ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି, ମୁଁ ସଭିଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରାର୍ଥନା କରୁଛି । ଭାରତ ଯଥା ସମ୍ଭବ ସବୁ ପ୍ରକାରର ସହାୟତା କରିବାକୁ ପ୍ରତିଶ୍ରୁତିବଦ୍ଧ । ଭାରତୀୟ ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ବୈଦେଶିକ ମନ୍ତ୍ରଣାଳୟକୁ ମିଆଁମାର ଓ ଥାଇଲାଣ୍ଡ ସରକାରଙ୍କ ଯୋଗାଯୋଗରେ ରହିବାକୁ କୁହାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀ ଭାରତର ଅଧିକାରୀଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିବା ପାଇଁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଭାବିତ ଲୋକଙ୍କ ପାଖକୁ ଯେମିତି ଶୀଘ୍ର ସହାୟତା ପହଞ୍ଚି ପାରିବ ସେ ନେଇ ମିଆଁମାର ଓ ଥାଇଲାଣ୍ଡ ସରକାରଙ୍କ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।
ଭାରତରେ ଦିଲ୍ଲୀ-ଏନସିଆର ଓ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ବିଶେଷ କରି ପୂର୍ବୋତର ରାଜ୍ୟ ମଣିପୁର, ଅରୁଣାଚଳ ପ୍ରଦେଶ, ଆସାମ ଓ ନାଗାଲାଣ୍ଡରେ ତୀବ୍ର ଝଟକା ଅନୁଭୂତ ହୋଇଛି । ମିଆଁମାର ଓ ଭାରତ ବ୍ୟତୀତ ବ୍ୟାଙ୍କକରେ ମଧ୍ୟ ୬.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ମିଆଁମାରରେ ପ୍ରଥମ ଥର ଦିନ ୧୧ଟା ୫୨ରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ପୁଣି ୧୨.୦୨ରେ ପୁନର୍ବାର ଭୂକମ୍ପ ଅନୁଭୂତ ହୋଇଥିଲା ।
ବ୍ୟାଙ୍କକରେ ଭୂକମ୍ପ ଝଟକା ପରେ କୋଠାଗୁଡିକୁ ଖାଲି କରିବାକୁ ପଡିଛି । ଲୋକେ କୋଠା ଛାଡି ବାହାରକୁ ଦୌଡିବାରେ ଲାଗିଥିଲେ । ଗ୍ରେଟର ବ୍ୟାଙ୍କକ ଅଞ୍ଚଳରେ ପାଖାପାଖି ଏକ କୋଟି ୭୦ ଲକ୍ଷ ଲୋକ ବସବାସ କରନ୍ତି । ତେବେ କେନ୍ଦ୍ରସ୍ଥଳ ଥିବା ମିଆଁମାରରୁ ଏ ପର୍ଯ୍ୟନ୍ତ କୌଣସି ବିସ୍ତୃତ ରିପୋର୍ଟ ଆସିନାହିଁ । ବଡ ଧରଣର ଭୂକମ୍ପ କାରଣରୁ ମିଆଁମାରରେ ବଡ ଧରଣର କ୍ଷତି ଘଟିଥିବା ଆଶଙ୍କା କରାଯାଉଛି ।