ମଧ୍ୟ-ପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ଯୋଗୁଁ ସାରା ବିଶ୍ୱରେ ତୈଳ ଓ ଗ୍ୟାସ୍ ସଙ୍କଟ ଦେଖାଦେଇଛି। ବିଶ୍ୱର ୨୦ ପ୍ରତିଶତ ଶକ୍ତି ପରିବହନ କରୁଥିବା 'ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍'କୁ ଇରାନ ବନ୍ଦ କରିଦେଇଛି। ଏହି ସଙ୍କଟର ପ୍ରଭାବ ବିଶ୍ୱର ତୃତୀୟ ବୃହତ୍ତମ ତୈଳ ଆମଦାନୀକାରୀ ଦେଶ ଭାରତ ଉପରେ ମଧ୍ୟ ପଡ଼ିଛି। ଭାରତ ନିଜର କଞ୍ଚା ତୈଳ ଆମଦାନୀର ପ୍ରାୟ ୪୦-୫୦ ପ୍ରତିଶତ ଏହି ହୋର୍ମୁଜ୍ ରାସ୍ତା ଦେଇ ମଗାଇଥାଏ। ତଥାପି, ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତୀୟ ବଜାରରେ ଏହି ଯୁଦ୍ଧର ପ୍ରଭାବ କମ୍ ଦେଖିବାକୁ ମିଳୁଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରର ଏହି ବଡ଼ ଆନ୍ତର୍ଜାତୀୟ ସଙ୍କଟ ସମୟରେ ଭାରତର ଦୃଢ଼ କୂଟନୀତି ନୂଆ ପଥ ପ୍ରଶସ୍ତ କରିଛି। ଯେତେବେଳେ ବିଶ୍ୱର ବଡ଼ ବଡ଼ ଦେଶ ସଙ୍କଟରେ ଅଛନ୍ତି, ସେତେବେଳେ ଭାରତ କିଛି ଛୋଟ ଛୋଟ ଅଜଣା ଦେଶ ସହିତ ମିଶି ଏହି ସମସ୍ୟାକୁ ଅତିକ୍ରମ କରିବାରେ ସଫଳ ହୋଇଛି।
ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଚଳିତ ସପ୍ତାହ ଆରମ୍ଭରେ ସୂଚନା ଦେଇଛି ଯେ, ଭାରତରେ କଞ୍ଚା ତୈଳ, LPG ଏବଂ LNG ର ଉପଲବ୍ଧତା ଗତ ମାସ ତୁଳନାରେ ବହୁତ ସୁଧାର ଆସିଛି। ଏହି ପରିବର୍ତ୍ତନ ପଛରେ ଆଫ୍ରିକାର ଛୋଟ ଦେଶମାନଙ୍କର ହାତ ରହିଛି। ଅଧିକାରୀମାନେ କହିଛନ୍ତି ଯେ, ଭାରତ କଞ୍ଚା ତୈଳ ଏବଂ ଗ୍ୟାସ୍ ସୋର୍ସିଂରେ ବିବିଧତା ଆଣିଛି, ଯଦ୍ୱାରା ହୋର୍ମୁଜ୍ ଷ୍ଟ୍ରେଟ୍ରେ ସୃଷ୍ଟି ହୋଇଥିବା ବାଧାକୁ ପୂରଣ କରାଯାଇପାରିବ।
କେଉଁ ଦେଶରୁ ଆସୁଛି ଗ୍ୟାସ୍ ଏବଂ କେତେ ବଢ଼ିଲା ଆମଦାନୀ?
ଭାରତ ପ୍ରତିଦିନ ୫.୫-୫.୬ ମିଲିୟନ୍ ବ୍ୟାରେଲ୍ କଞ୍ଚା ତୈଳ ଆମଦାନୀ କରେ। LPG କ୍ଷେତ୍ରରେ ଭାରତ ତା’ର ବାର୍ଷିକ ୩୧ ମିଲିୟନ୍ ଟନ୍ ଚାହିଦାର ପ୍ରାୟ ୬୦ ପ୍ରତିଶତ ଆମଦାନୀ ମାଧ୍ୟମରେ ପୂରଣ କରେ, ଯେଉଁଥିରୁ ୯୦ ପ୍ରତିଶତ ଗ୍ୟାସ୍ ଏହି ହୋର୍ମୁଜ୍ ରାସ୍ତା ଦେଇ ଆସେ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, LPG ପାଇଁ ଭାରତ ଆମେରିକା, ରୁଷ, କାନାଡା, ନରୱେ ଏବଂ ପଶ୍ଚିମ ଆଫ୍ରିକୀୟ ଦେଶ ଯେପରିକି ନାଇଜେରିଆ, ଆଲଜେରିଆ, ଘାନା, କଙ୍ଗୋ ଏବଂ ଆଙ୍ଗୋଲା ସହ ଯୋଗାଯୋଗରେ ଅଛି। ସେହିପରି LNG ପାଇଁ କାମେରୁନ୍, ଇକ୍ୱେଟୋରିଆଲ୍ ଗିନି ଏବଂ ମୋଜାମ୍ବିକ୍ ଭଳି ଦେଶରୁ ଯୋଗାଣ ଆରମ୍ଭ ହୋଇଛି।
ସାଉଦି ଆରବ ଏବଂ ୟୁଏଇ (UAE) ମଧ୍ୟ ନିଜର ଯୋଗାଣର କିଛି ଅଂଶ ଅନ୍ୟ ପାଇପଲାଇନ ଜରିଆରେ ପଠାଉଛନ୍ତି, ଯାହା ହୋର୍ମୁଜ୍ ରାସ୍ତାକୁ ବ୍ୟବହାର କରେ ନାହିଁ।
ରୁଷରୁ ତୈଳ କ୍ରୟରେ ବଡ଼ ବୃଦ୍ଧି
ରୁଷରୁ ତୈଳ କ୍ରୟ ପାଇଁ ଆମେରିକା ଭାରତକୁ ୩୦ ଦିନର କୋହଳ ସମୟ ପ୍ରଦାନ କରିଛି। ଏହାଫଳରେ ମାର୍ଚ୍ଚ ମାସରେ ଭାରତ ରୁଷରୁ କଞ୍ଚା ତୈଳ କ୍ରୟ ଫେବୃଆରୀ ତୁଳନାରେ ୯୦ ପ୍ରତିଶତ ବୃଦ୍ଧି କରିଛି। ମଧ୍ୟ-ପ୍ରାଚ୍ୟରେ ଯୋଗାଣ ବାଧାପ୍ରାପ୍ତ ହୋଇଥିବାରୁ ଭାରତ ଏହି ବିକଳ୍ପକୁ ବ୍ୟବହାର କରି ନିଜର ଆବଶ୍ୟକତା ପୂରଣ କରୁଛି।