ନିକଟରେ ପଶ୍ଚିମବଙ୍ଗର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ସିଲିଗୁଡ଼ିର ସଫାରି ପାର୍କ ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଥିବା ବେଳେ ଏହି ପାର୍କରେ ଗୋଟିଏ ସିଂହୀ ଖୁଆଡ଼ରେ ଏକ ସିଂହକୁ ରଖିଥିବା କାରଣରୁ ବିଶ୍ବ ହିନ୍ଦୁ ପରିଷଦ୍ର ପଶ୍ଚିମବଙ୍ଗ ଶାଖା ବନ ବିଭାଗ ବିରୋଧରେ କୋଲକାତା ହାଇକୋର୍ଟର ଜଳପାଇଗୁଡ଼ି ସର୍କିଟ ବେଞ୍ଚ୍ରେ ପିଟିସନ୍ ଫାଇଲ୍ କରିଥିବା କଥା ‘ଲଇଭ୍ ଲ’ ରିପୋର୍ଟ କରିଥିଲା। ତେବେ ଗୁରୁବାର ଦିନ ଏହି ମାମଲାର ଶୁଣାଣି ସରିଛି।
ଶୁଣାଣି ସମୟରେ ଜଷ୍ଟିସ୍ ସୌଗତ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, "ଉଭୟ ପଶୁଙ୍କ ନାଁ ବଦଳାଇ ଏମିତି ନାଁ ଦିଆଯାଉ ଯାହାକୁ ନେଇ ବିବାଦ ହେବନି। ଦେବୀ ସୀତାଙ୍କୁ ଲୋକେ ପୂଜା କରନ୍ତି । ସେହିଭଳି ଆକବର ମଧ୍ୟ ଜଣେ ଦକ୍ଷ ଏବଂ ସଫଳ ମୋଗଲ ଶାସକ ଥିଲେ।" ଏହା ସହ କୋର୍ଟ କିଛି ନାଁର ଉଦାହରଣ ଦେଇ କହିଛନ୍ତି ଯେ, "ଆପଣ ଚାହିଁଲେ ସିଂହ ନାଁ ବିଜୁଳି କିମ୍ବା ଅନ୍ୟ କିଛି ରଖିପାରିବେ । କିନ୍ତୁ ସୀତା ଏବଂ ଆକବର ନାଁ ରଖିବା ଆଦୌ ଶୋଭନୀୟ ନୁହେଁ।"
ଖବର ଅନୁସାରେ, ପିଟିସନ ଫାଇଲ କରିବାର ମୁଖ୍ୟ କାରଣ ହେଉଛି ଉକ୍ତ ସିଂହୀର ନାମ ହିନ୍ଦୁ ନାମାନୁସାରେ 'ସୀତା' ହୋଇଥିବା ବେଳେ ସିଂହର ନାମ ମୁସଲମାନ ନାମାନୁସାରେ 'ଆକବର' ରଖାଯାଇଥିଲା ଏବଂ ସେହି ଦୁଇ ସିଂହ ଓ ସିଂହୀକୁ ଗୋଟିଏ ଖୁଆଡ଼ରେ ରଖାଯାଇଥିଲା।
‘ଲଇଭ୍ ଲ’ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଫେବୃଆରୀ ୧୩ ତାରିଖରେ ଉକ୍ତ ସିଂହ ଓ ସିଂହୀଙ୍କୁ ତ୍ରିପୁରାରେ ଥିବା ଏକ ଚିଡ଼ିଆଖାନାରୁ ବେଙ୍ଗଲ ସଫାରୀକୁ ଅଣାଯାଇଥିଲା। ଏହି ସମୟରେ ବିଶ୍ବ ହିନ୍ଦୁ ପରିଷଦ୍, ପଶ୍ଚିମବଙ୍ଗ ଶାଖା ସିଂହୀ ‘ସୀତା’ ନାମ ପରିବର୍ତ୍ତନ କରିବା ଲାଗି ବନ ବିଭାଗକୁ ଅନୁରୋଧ କରିଥିଲା। କିନ୍ତୁ ଏହାର ପ୍ରତ୍ୟୁତ୍ତର ଦେଇ ବନ ବିଭାଗ କହିଥିଲା ଯେ, "ଏଠାକୁ ଆସିବା ଆଗରୁ ‘ସୀତା’ ଓ ‘ଆକବର’ ଭାବେ ଦୁହିଁଙ୍କର ନାମକରଣ ସରିଛି। ଦୁହିଁଙ୍କର ପୁନଃନାମକରଣରେ ସେମାନଙ୍କର କୌଣସି ଭୂମିକା ନାହିଁ।"
ଏହି ଘଟଣା ପରେ, ବିଶ୍ବ ହିନ୍ଦୁ ପରିଷଦ୍ କର୍ମୀ ଲକ୍ଷ୍ମଣ କୁମାର ଅଗ୍ରୱାଲ୍ ଓ ଅନୁପ କୁମାର ମଣ୍ଡଳ ସିଂହୀଟିର ନାମ ‘ସୀତା’ କାହିଁକି ରଖାଗଲା ବୋଲି ଅଭିଯୋଗ କରି ମାମଲା ରୁଜୁ କରିଥିଲା ବେଳେ ବିଚାରପତି ସୌଗତ ଭଟ୍ଟାଚାର୍ଯ୍ୟଙ୍କ ଖଣ୍ଡପୀଠରେ ଆଗତ କରାଯାଇଥିବା ଏହି ମାମଲାର ଶୁଣାଣି ଫେବୃଆରୀ ୨୨ ତାରିଖ କରାଯିବା ଲାଗି ତାଲିକାଭୁକ୍ତ ହୋଇଥିଲା। ତେବେ ଗତ ଗୁରୁବାର ଏହାର ଶୁଣାଣି ସରିଛି।
ଅଧିକ ପଢନ୍ତୁ: ଅନୁଗୁଳରୁ ଅଯୋଧ୍ୟା ଗଡ଼ିଲା ସ୍ୱତନ୍ତ୍ର ଆସ୍ଥା ଟ୍ରେନ