ନୂଆଦିଲ୍ଲୀ: ଗତ ୪ ମାସ ଧରି ଆମରଣ ଅନଶନ କରୁଥିବା କୃଷକ ନେତା ଜଗଜିତ ସିଂ ଡଲେୱାଲ ଶେଷରେ ଆଜି ଜଳପାନ କରିଛନ୍ତି । ଏଥିସହ ତାଙ୍କର ୪ ମାସ ୧୧ ଦିନ ଧରି ଚାଲି ଆସିଥିବା ଅନଶନ ସମାପ୍ତ ହୋଇଛି । ତାଙ୍କର ଅନଶନ ସମାପ୍ତ କରାଇବା ପାଇଁ ଅଦାଲତ ମଧ୍ୟ ଆଦେଶ ଦେଇଥିଲେ । ତାଙ୍କୁ ମନାଇବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ବି ଗଠିତ ହୋଇଥିଲା । ଡଲେୱାଲ ଅନଶନ ଭାଙ୍ଗି ଥିବା ନେଇ ସୁପ୍ରିମକୋର୍ଟଙ୍କୁ ଶୁକ୍ରବାର ଅବଗତ କରାଇଛନ୍ତି ପଞ୍ଜାବ ସରକାର ।
ସୂଚନା ଅନୁଯାୟୀ, ଆଜି ସକାଳେ ଡଲେୱାଲ ଜଳ ଗ୍ରହଣ କରିଛନ୍ତି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଜଗଜିତ ସିଂ ଡଲେୱାଲଙ୍କୁ ପ୍ରଶଂସା କରିଛନ୍ତି । ବିଚାରପତି ତାଙ୍କୁ ଏକ ଉତ୍ତମ କୃଷକ ନେତା ବୋଲି କହିଛନ୍ତି । ଡଲେୱାଲଙ୍କ କୌଣସି ରାଜନୈତିକ ଏଜେଣ୍ଡା ନ ଥିଲା । ଆମ ନିକଟରେ ସବୁ ତଥ୍ୟ ରହିଛି । ଏହା ସହିତ ପୂର୍ବତନ ହାଇକୋର୍ଟ ଜଜଙ୍କ ନେତୃତ୍ୱାଧୀନ ତିନି ଜଣିଆ କମିଟିକୁ ଷ୍ଟାଟସ ରିପୋର୍ଟ ଦେବାକୁ କୋର୍ଟ ଆଦେଶ ଦେଇଛନ୍ତି । କୃଷକଙ୍କ ଦାବିକୁ ନେଇ କଣ ପ୍ରଗତି ହୋଇଛି ତାର ରିପୋର୍ଟ ଦେବାକୁ କମିଟିକୁ କୁହାଯାଇଛି । ଖଣ୍ଡପୀଠ ପଞ୍ଜାବ ସରକାରଙ୍କ ଡିଜିପି ଓ ମୁଖ୍ୟ ସଚିବଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ସମାପ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ଜଗଜିତ ସିଂ ଡଲେୱାଲଙ୍କୁ ମେଡିକାଲ ସୁବିଧା ପ୍ରଦାନ କରିବା ପାଇଁ ଖୋଦ ସୁପ୍ରିମକୋର୍ଟ ପ୍ରଶାସନକୁ ଆଦେଶ ଦେଇଥିଲେ । ମାର୍ଚ୍ଚ ୧୯ରେ କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଓ ପଞ୍ଜାବ ସରକାର କୃଷକ ନେତାଙ୍କ ସହ ବୈଠକ କରିଥିଲେ । ଏହି ବୈଠକ ପରେ ପରେ କୃଷକ ନେତାଙ୍କୁ ପୋଲିସ ନିଜ ହେପାଜତକୁ ନେଇଥିଲା । ଶମ୍ଭୂ ଓ ଖନୌରୀରୁ ବର୍ଡରରୁ ଧାରଣାରତ କୃଷକଙ୍କୁ ହଟାଯାଇଥିଲା । କୃଷକଙ୍କୁ ଧାରଣାସ୍ଥଳରୁ ହଟାଇବା ପରେ ହରିୟାଣା ପକ୍ଷରୁ ଲାଗିଥିବା ବ୍ୟାରିକେଡକୁ ମଧ୍ୟ ହଟା ଯାଇଥିଲା । ଏହା ପରେ ବର୍ଷାଧିକ ସମୟର ଗତିରୋଧ ପରେ ଗମନାଗୁମନ ସୁଗମ ହୋଇଛି ।