ନୂଆଦିଲ୍ଲୀ: ପାକିସ୍ତାନରୁ ନେପାଳ ଓ ବାଂଲାଦେଶ ରାସ୍ତା ଦେଇ ନକଲି ନୋଟକୁ ଦିଲ୍ଲୀ-ଏନ୍ସିଆରରେ ପହଞ୍ଚାଯାଉଛି। ଅନ୍ତର୍ଜାତୀୟ ଏଫ୍ଆଇସିଏନ୍ (ଫେକ୍ ଇଣ୍ଡିଆନ୍ କରେନ୍ସି ନୋଟ୍) ରାକେଟ୍ର ୨ ଜଣ ସଦସ୍ୟକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାରର ଶିଭହର ନିବାସୀ ରାମ ପ୍ରବେଶ ଓ ରକ୍ସୋଲ ନିବାସୀ ଅଲୀ ଅସଗର। ଏମାନଙ୍କ ଠାରୁ ୫୮୨ଟି ୫୦୦ ଟଙ୍କିଆ ନକଲି ନୋଟ୍ ଓ ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି। ପଚରାଉଚରା ବେଳେ ଜଣାପଡ଼ିଛି ଯେ, ଗ୍ୟାଙ୍ଗର ମୁଖ୍ୟ ହେଉଛି ଆସିଫ ନାମରେ ଜଣେ ବ୍ୟକ୍ତି। ସେମାନେ ପାକିସ୍ତାନର ଅନ୍ସାରୀଙ୍କ ସହିତ ଯୋଗଯୋଗ କରି ଦିଲ୍ଲୀ-ଏନ୍ସିଆର ବ୍ୟତୀତ ଦେଶର ଅନ୍ୟ ସ୍ଥାନକୁ ନୋଟ୍ ପଠାଉଥିଲେ।
ସ୍ପେଶାଲ ସେଲ୍ ଡିସିପି ମନୋଜ ସି’ଙ୍କ କହିବା ଅନୁସାରେ ଟିମ୍କୁ ସୂଚନା ମିଳିଥିଲା ଯେ, ଦିଲ୍ଲୀ-ଏନ୍ସିଆରରେ ନକଲି ନୋଟ କାରବାର ବଢ଼ିଛି। ଏଥି ପାଇଁ ତଥ୍ୟ ଯୋଗାଡ଼ କରାଯାଇଥିଲା। ପରେ ଜଣାପଡ଼ିଲା ଯେ, ନକଲି ନୋଟ ନେପାଳରୁ ବିହାରର ରକ୍ସୋଲ ଦେଇ ଦିଲ୍ଲୀ ଆସୁଛି। ଏଥିରେ ଜଣେ ବ୍ୟକ୍ତି ନକଲି ନୋଟ୍ ସହିତ ଦିଲ୍ଲୀର ଆନନ୍ଦ ବିହାର ଅଞ୍ଚଳରେ ରହୁଛନ୍ତି। ସୂଚନା ମିଳିବା ପରେ ଗୋଟିଏ ଟିମ୍ ଆନନ୍ଦ ବିହାର ଫୁଟ ଓଭର ବ୍ରିଜ୍ ନିକଟରେ ଟ୍ୟାପ୍ ଲଗାଇଥିଲା। ଟିମ୍ ଅଭିଯୁକ୍ତମାନଙ୍କୁ ଧରିପକାଇଥିଲେ। ଅଭିଯୁକ୍ତଙ୍କ ପାଖରୁ ୫୭୮ ଖଣ୍ଡ ନକଲି ୫୦୦ ଟଙ୍କିଆ ନୋଟ୍ ଜବତ ହୋଇଥିଲା।
ପୁଲିସର ପଚରାଉଚରା ବେଳେ ଜଣେ ଅଭିଯୁକ୍ତ ରାମ ପ୍ରବେଶ କହିଥିଲା, ଦିଲ୍ଲୀ-ଏନ୍ସିଆରରେ ଠିକାଦାର ଭାବେ କାମ କରନ୍ତି। କାମ ନମିଳୁଥିବାରୁ ସେ ଅଲୀ ଅସଗରର ସଂପର୍କରେ ଆସିଥିଲା ଏବଂ ନକଲି ନୋଟ୍ କାରବାର ଆରମ୍ଭ କରିଦେଇଥିଲା। ରାମ ପ୍ରବେଶ ଠାରୁ ଅନେକଗୁଡ଼ିଏ ତଥ୍ୟ ହାସଲ କଲା ପରେ ପୁଲିସର ଏକ ଟିମ୍ ମୁଜାଫ୍ଫରକୁର ପହଞ୍ଚିଥିଲା। ସେଠାରେ ଅଭିଯୁକ୍ତ ଅଲି ଅସଗରକୁ ଧରିଥିଲା। ତାପାଖରୁ ୪ଟି ୫୦୦ ଟଙ୍କିଆ ନୋଟ ଜବତ କରିଥିଲା। ତେବେ ଦେଶରେ ବିମୁଦ୍ରାକରଣକୁ ୮ ବର୍ଷ ପୂରା ହୋଇଥିଲେ ବି ନକଲି ନୋଟ୍କାରବାର ଜାରି ରହିଥିଲା। ଏହି କାରବାରରେ ଆଇଏସ୍ଆଇ ସହଯୋଗ କରୁଥିବା ମଧ୍ୟ ଜଣାପଡ଼ିଛି।