ନୂଆଦିଲ୍ଲୀ: ୟୁଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କ ମୁସ୍କିଲ ଥମିବାର ନାଁ ନେଉନି। ମାନବାଧିକାର ଆୟୋଗ ରଣବୀରଙ୍କ ଟିପ୍ପଣୀ ଉପରେ ହସ୍ତକ୍ଷେପ କରି ୟୁଟ୍ୟୁବ୍କୁ ଚିଠି ଲେଖିଛନ୍ତି। ଷ୍ଟାଣ୍ଡଅପ୍ କମେଡିୟାନ ସମୟ ରୈନାଙ୍କ ଶୋ ‘ଇଣ୍ଡିଆଜ ଗଟ୍ ଟ୍ୟାଲେଣ୍ଟ’ରେ ଅଭିଭାବକଙ୍କ ଉପରେ ଅଶ୍ଳୀଳ ଟିପ୍ପଣୀ କରିବା ପରେ ରଣବୀର ଚାରିଆଡ଼ୁ ସମାଲୋଚିତ ହୋଇଛନ୍ତି। ଏବେ ଆଇନଗତ ଜାଲରେ ସେ ଫସିବାକୁ ଯାଉଛନ୍ତି। ତାଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଏବେ ନୋଟିସ୍ ଜାରି କରିଛି ମାନବାଧିକାର କମିଶନ।
ୟୁଟ୍ୟୁବର ଏକ୍ସରେ ଭିଡିଓ ସେୟାର କରି କହିଛନ୍ତି, ମୋର କମେଣ୍ଟ ଅନୁଚିତ ଥିଲା। ଏଥିରେ ପରିହାସ ବି ନ ଥିଲା। ମୁଁ କେବଳ ସରି କହିବାକୁ ଚାହୁଁଛି। ଅନେକ ଲୋକ ପ୍ରଶ୍ନ କରିଛନ୍ତି ଯେ କଣ ଆପଣ ନିଜର ପ୍ଲାଟଫର୍ମକୁ ଏଭଳି ବ୍ୟବହାର କରିବେ ? ଏହାର ଉତ୍ତରରେ କହିବାକୁ ଚାହୁଁଛି ଯେ, ନିଜ ପ୍ଲାଟଫର୍ମର ଏମିତି ବ୍ୟବହାର କଦାପି କରିବି ନାହିଁ। ଯାହା କିଛି ଘଟିଗଲା, ତାହା ପାଇଁ ମୁଁ କଦାପି ତର୍କ କରିବି ନାହିଁ। ମୁଁ କେବଳ କ୍ଷମା ମାଗିବାକୁ ଚାହୁଁଛି। ଯାହା କିଛି କହିଛି ଆଦୌ ଗ୍ରହଣୀୟ ନୁହେଁ। ମୋର ପଡକାଷ୍ଟକୁ ସବୁ ବୟସର ଲୋକ ଦେଖନ୍ତି। ମୁଁ ଏମିତି ମଣିଷ ହେବାକୁ ଚାହୁଁନି ଯିଏ ଏହି ଦାୟିତ୍ଵକୁ ହାଲୁକାରେ ନେବ।
ସେ ଏହା ମଧ୍ୟ କହିଛନ୍ତି, ମୋତେ ଏହି ପ୍ଲାଟଫର୍ମକୁ ଆହୁରି ଉନ୍ନତ ଭାବେ ବ୍ୟବହାର କରିବାକୁ ଚାହୁଁଥିଲି। ଏହି ଘଟଣାରୁ ବହୁତ ବଡ଼ ଶିକ୍ଷା ପାଇଲି। ମୁଁ ଆହୁରି ଠିକ୍ ରହିବି ବୋଲି ପ୍ରତିଶ୍ରୁତି ଦେଉଛି। ଭିଡିଓର ଅସମ୍ବେଦନଶୀଳ ଅଂଶକୁ ହଟାଇ ଦେବାକୁ ନିର୍ମାତାଙ୍କୁ କହିଛି। ମଣିଷ ମଣିଆ ହିସାବରେ ହୋଇପାରେ ମୋତେ କ୍ଷମା କରି ଦେବେ।
କଣ ଏହି ପୂରା ଘଟଣା
ରଣବୀର ‘ଇଣ୍ଡିଆଜ୍ ଗଟ୍ ଟ୍ୟାଲେଣ୍ଟ’ ଶୋରେ ରଣବୀର ଅତିଥି ଜଜ୍ ଭାବେ ସାମିଲ ହୋଇଥିଲେ। ଏଠାରେ ୟୁଟ୍ୟୁବର ରଣବୀର ଜଣେ ପ୍ରତିଯୋଗୀଙ୍କୁ ତାଙ୍କ ଅଭିଭାବକଙ୍କ ସେକ୍ସ ଜୀବନ ଉପରେ ବିବାଦୀୟ ପ୍ରଶ୍ନ କରିଥିଲେ। ସେ ପଚାରିଥିଲେ ଯେ, କଣ ଆପଣ ନିଜ ଅଭିଭାବକଙ୍କୁ ପୂରା ଜୀବନ, ପ୍ରତି ଦିନ ସେକ୍ସ କରୁଥିବା ଦେଖିବାକୁ ଚାହିଁବେ ? କିମ୍ବା ଥରୁଟିଏ ଅଭିଭାବକଙ୍କ ନିବିଡ଼ ସଂପର୍କକୁ ଦେଖି ପରେ ଉଭୟଙ୍କୁ ସେକ୍ସ କରୁଥିବା ଦେଖିବାକୁ ଚାହିଁବେ ନାହିଁ। ରଣବୀରଙ୍କ ପ୍ରଶ୍ନ ଶୁଣି ସେଠାରେ ବସିଥିବା ଦର୍ଶକ ଓ ବାକି ଜଜ ଜୋରରେ ହସିବାକୁ ଲାଗିଛନ୍ତି।