ମୁୁମ୍ବାଇ : ଆଜି ମହାରାଷ୍ଟ୍ରରେ ମହାୟୁତି ସରକାରର ଶପଥ ଗ୍ରହଣ ଉତ୍ସବକୁ କେଇ ଘଣ୍ଟା ବାକି ରହିଛି । ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ତେବେ ଏହା ମଧ୍ୟରେ ଆସିଛି ଚକିତ କରି ଦେବା ଭଳି ଖବର । ଶିବସେନା ପ୍ରମୁଖ ଏକନାଥ ସିନ୍ଦେଙ୍କ ନୂତନ ସରକାରରେ ଆଜି ଉପମୁଖ୍ୟମନ୍ତ୍ରୀଙ୍କ ଭାବେ ଶପଥ ନେବାର ନିଶ୍ଚିତ ହୋଇ ପାରିନି । ବୁଧବାର ରାତି ପର୍ଯ୍ୟନ୍ତ ଏହି ଖବର ଥିଲା ଯେ, ସିନ୍ଦେ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ରାଜି ହୋଇ ଯାଇଛନ୍ତି । ମାତ୍ର ଆଜି ତାଙ୍କ ପାର୍ଟିର ନେତା ଉଦୟ ସାମନ୍ତ କହିଛନ୍ତି ଯେ, ଅଦ୍ୟାବଧି ଏହା ଉପରେ ନିଷ୍ପତ୍ତି ହୋଇ ନାହିଁ । କିନ୍ତୁ ଏକନାଥ ସିନ୍ଦେ ଶୀଘ୍ର ସ୍ଥିର କରିବେ ଯେ, ତାଙ୍କୁ କଣ କରିବାର ଅଛି ।
ଶିବସେନାର ଏହି ନେତା କହିଛନ୍ତି, ସମସ୍ତ ବିଧାୟକ ସ୍ଥିର କରିଛନ୍ତି ଯେ, ଯଦି ଏକନାଥ ସିନ୍ଦେ ସରକାରରେ ସାମିଲ ହେବେନି ତେବେ ଆମେ ବି କ୍ୟାବିନେଟରେ ସାମିଲ ହେବୁ ନାହିଁ । ସମସ୍ତ ମନ୍ତ୍ରୀ ବୁଧବାର ସନ୍ଧ୍ୟାରେ ଏକନାଥ ସିନ୍ଦେଙ୍କୁ ଭେଟିଥିଲେ ଏବଂ ତାଙ୍କୁ କ୍ୟାବିନେଟରେ ସାମିଲ ପାଇଁ ମନାଇବାକୁ ଉଦ୍ୟମ କରିଥିଲୁ ।
ଉଦୟ ସାମନ୍ତଙ୍କ ଏହି ବୟାନ ମହାରାଷ୍ଟ୍ରର ନୂଆ ସରକାରକୁ ନେଇ ଜାରି ସସପେନ୍ସକୁ ଆହୁରି ବଢାଇ ଦେଇଛି । ଏକନାଥ ସିନ୍ଦେ ବୁଧବାର ରାଜଭବନରେ ଦେବେନ୍ଦ୍ର ଫଡଣବିସ ଓ ଅଜିତ ପାୱାରଙ୍କ ସହ ଗଣମାଧ୍ୟମ ସହ ଆଲୋଚନା କରିଥିଲେ । ତାଙ୍କୁ ଯେବେ ଶପଥ ବିଷୟରେ ପ୍ରଶ୍ନ କରାଗଲା, ସେ କହିଥିଲେ, ଏତେ ତର ତର କାହିଁକି । ଶପଥ ସମାରୋହ ତ ବୁଧବାର ସନ୍ଧ୍ୟାରେ ହେବାର ଅଛି ।
ଗତକାଲି ଖବର ଆସିଥିଲା ଯେ, ଏକନାଥ ସିନ୍ଦେ ଏବେ ଦେବେନ୍ଦ୍ର ଫଡ଼ଣବିସ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ସାମିଲ ହେବେ। ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଅଜିତ ପାଓ୍ଵାର ପ୍ରଥମରୁ ସ୍ପଷ୍ଟ କରି ଦେଇଥିଲେ ଯେ, ସେ ଆସନ୍ତାକାଲି ଶପଥ ନେବେ। ଗତକାଲି ଦେବେନ୍ଦ୍ର ଫଡ଼ଣବିସ ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭେଟି ସରକାର ଗଠନ କରିବାର ଦାବି ଉପସ୍ଥାପନ କରିଥିଲେ।
ଏହି ସାକ୍ଷାତ ପରେ ସେ ଏକନାଥ ସିନ୍ଦେଙ୍କୁ ସରକାରରେ ସାମିଲ ହେବା ନେଇ ଧନ୍ୟବାଦ ଜଣାଇଥିଲେ। ସେ କହିଥିଲେ, ମୁଁ ଗତକାଲି ଏକନାଥ ସିନ୍ଦେଙ୍କୁ କ୍ୟାବିନେଟରେ ପୂର୍ବବତ ରହିବାକୁ ଅନୁରୋଧ କରିଥିଲି। ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର , ଆମେ ସର୍ବଦା ମିଶି କି ନିଷ୍ପତ୍ତି ନେଉଛୁ ଏବଂ ଆଗକୁ ମଧ୍ୟ ଜାରି ରହିବ । ହେଲେ ଏଥିରେ ପୁଣି ଟୁଇଷ୍ଟ ଆସିଛି ।