ନୂଆଦିଲ୍ଲୀ: ଭାରତର ଷ୍ଟକ ବଜାରରେ ସୋମବାର ହ୍ରାସ ଘଟିଛି। ତେବେ ଆଜି ଏହା ଦମଦାର ପ୍ରତ୍ୟାବର୍ତ୍ତନ କରିଛି। ନିଫ୍ଟି ୫୦ ସୂଚକାଙ୍କ ୧୪୮.୮୫ ପଏଣ୍ଟ (୦.୬୪%) ବୃଦ୍ଧି ପାଇ ୨୩,୫୦୯.୯୦ରେ ଖୋଲିଛି। ସେହିପରି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସଇ) ସେନ୍ସେକ୍ସ ୫୦୦.୮୬ ପଏଣ୍ଟ (୦.୬୫%) ବୃଦ୍ଧି ପାଇ ୭୭,୬୮୭.୬୦ରେ ପହଞ୍ଚିଛି। ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଉଭୟ ପ୍ରମୁଖ ସୂଚକାଙ୍କରେ ପ୍ରାୟ ୧ ପ୍ରତିଶତ ଲେଖାଏଁ ବୃଦ୍ଧି ଦେଖିବାକୁ ମିଳିଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ଷ୍ଟକ ବଜାରକୁ ଆଶ୍ଚର୍ଯ୍ୟ କରି ଆସୁଛନ୍ତି। ପ୍ରାରମ୍ଭରେ ସେ କାନାଡା, ମେକ୍ସିକୋ ଏବଂ ଚୀନ୍ ଉପରେ ପ୍ରବଳ ଶୁଳ୍କ ଘୋଷଣା କରିଥିଲେ, ଯାହା ବାଣିଜ୍ୟ ଯୁଦ୍ଧଆଶଙ୍କା ସୃଷ୍ଟି କରିଥିଲା ଏବଂ ଜାପାନ ଏବଂ ଦକ୍ଷିଣ କୋରିଆ ସହିତ ଭାରତୀୟ ଷ୍ଟକ ବଜାରକୁ ଧ୍ୱଂସ କରିଥିଲା। ତେବେ ଟ୍ରମ୍ପ ଏବେ ମେକ୍ସିକୋ ଓ କାନାଡା ଉପରେ ଶୁଳ୍କ ଲଗାଇବା ଯୋଜନାକୁ ସ୍ଥଗିତ ରଖିଛନ୍ତି। ଏହା ଫଳରେ ଭାରତ ସମେତ ସମଗ୍ର ବିଶ୍ୱରେ ଷ୍ଟକ ବଜାରରେ ପ୍ରବଳ ବୃଦ୍ଧି ଘଟିଛି।
ଆଜି ଘରୋଇ ଷ୍ଟକ ବଜାରରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହେଉଛି। ଆମେରିକା କାନାଡା ଓ ମେକ୍ସିକୋ ଉପରେ ଶୁଳ୍କ ବନ୍ଦ କରିବା ପରେ ବିଶ୍ୱ ବାଣିଜ୍ୟ ଯୁଦ୍ଧକୁ ନେଇ ନିବେଶକଙ୍କ ଚିନ୍ତା କିଛି ମାତ୍ରାରେ ହ୍ରାସ ପାଇଛି। ଏହା ଫଳରେ ଏସୀୟ ବଜାରରେ ବୃଦ୍ଧି ଘଟିଛି, ଯାହାର ପ୍ରତିଫଳନ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ବେଞ୍ଚମାର୍କ ବିଏସ୍ଇ ସେନ୍ସେକ୍ସ ୭୧୫.୭୪ ପଏଣ୍ଟ ବା ୦.୯୩% ବୃଦ୍ଧି ପାଇ ୭୭,୯୦୨.୪୮ ରେ ଖୋଲିଥିବା ବେଳେ ନିଫ୍ଟି ୫୦ ସୂଚକାଙ୍କ ୨୦୪.୬୦ ପଏଣ୍ଟ ବା ୦.୮୮% ବୃଦ୍ଧି ପାଇ ୨୩,୫୬୫.୬୫ରେ ଖୋଲିଛି। ଫଳରେ ବିଏସଇରେ ତାଲିକାଭୁକ୍ତ ସମସ୍ତ କଂପାନିର ବଜାର ପୁଞ୍ଜି ୩.୧୧ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇ ୪୨୩.୪୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ପୂର୍ବାହ୍ନ ୧୦ଟା ୩୮ ରେ ସେନ୍ସେକ୍ସ ୩୩୮.୭୧ ପଏଣ୍ଟ ବା ୦.୪୪% ହ୍ରାସ ପାଇ ୭୭,୫୨୫.୪୫ ପଏଣ୍ଟରେ କାରବାର କରୁଥିଲା। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ଇଣ୍ଡେକ୍ସ ୯୬.୬୫ ପଏଣ୍ଟ ବା ୦.୪୧% ବୃଦ୍ଧି ପାଇ ୨୩,୪୫୭.୭୦ ପଏଣ୍ଟରେ ରହିଛି।