ଓଡ଼ିଶାର ୮ ଅଧିକାରୀଙ୍କୁ ନିର୍ବାଚନ ଦାୟିତ୍ୱରୁ ହଟାଇବାକୁ ଭାରତର ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ୨ ଜିଲ୍ଲାପାଳ, ୫ ଏସପି ଓ ଜଣେ ଆଇଜିଙ୍କୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ କାର୍ଯ୍ୟକ୍ରମରେ ଅଧିକାରୀ ମାନେ ପକ୍ଷପାତିତା ଏବଂ ଶାସକ ଦଳକୁ ସୁହେଇଲା ପରି କାର୍ଯ୍ୟ କରୁଥିବା କହି ସେମାନଙ୍କୁ ନିର୍ବାଚନ ଦାୟିତ୍ୱରୁ ତୁରନ୍ତ ହଟେଇବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ ।
ସୂଚନା ଅନୁସାରେ, ଓଡ଼ିଶାରେ ଏପ୍ରିଲ ୧୯ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ବିଧାନସଭା, ଲୋକସଭା ନିର୍ବାଚନ ତେବେ ଆଗାମୀ ସାଧାରଣ ନିର୍ବାଚନକୁ ଅବାଧ, ନିରପେକ୍ଷ କରିବା ସକାଶେ ଭାରତର ନିର୍ବାଚନ କମିସନ ରାଜ୍ୟରେ କାର୍ଯ୍ୟରତ ୨ ଜଣ ଜିଲ୍ଲାପାଳ, ୫ ଜଣ ଏସ୍ପି ଓ ଜଣେ କେନ୍ଦ୍ରାଞ୍ଚଳ ଆଇଜିଙ୍କୁ ନିର୍ବାଚନ ଦାୟିତ୍ୱରୁ ଅନ୍ତର କରିଛନ୍ତି । ଏହି ଅଧିକାରୀ ମାନଙ୍କୁ ନିର୍ବାଚନ ସମ୍ପର୍କ ନଥିବା ଯେକୌଣସି ଅଫିସ୍ରେ ତୁରନ୍ତ ନିଯୁକ୍ତି ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ନୂଆ ନିଯୁକ୍ତି କାର୍ଯ୍ୟକାରୀ ସମ୍ପର୍କିତ ରିପୋର୍ଟ ସଂଧ୍ୟା ୫ଟା ସୁଦ୍ଧା ମୁଖ୍ୟନିର୍ବାଚନ କମିସନ୍ଙ୍କ ଠାରେ ପହଞ୍ଚାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ପଦବିରୁ ହଟାଯାଇଥିବା ବରିଷ୍ଠ ପ୍ରାଶାସନିକ ଅଧିକାରୀଙ୍କ ଭିତରେ ଅଛନ୍ତି ପୋଲିସ ବିଭାଗର କେନ୍ଦ୍ରାଞ୍ଚଳ ଆଇଜି ଆଶିଷ କୁମାର ସିଂହ, କଟକ ଏସ୍ପି କନୱର ବିଶାଲ ସିଂହ, ରାଉରକେଲା ଏସ୍ପି ମିତ୍ରଭାନୁ ମହାପାତ୍ର, ଖୋର୍ଦ୍ଧା ଏସ୍ପି ଯୁଗଳ କିଶୋର ବାନୋଥ୍, ବ୍ରହ୍ମପୁର ଏସ୍ପି ଡ. ଶ୍ରବଣ ବିବେକ ଏମ୍., ଅନୁଗୁଳ ଏସ୍ପି ସୁଧାଂଶୁ ଶେଖର ମିଶ୍ର । ସେହିପରି ପଦବିରୁ ହଟାଯାଇଥିବା ଦୁଇ ଜଣ ଜିଲ୍ଲାପାଳ ହେଉଛନ୍ତି କଟକ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ ଓ ଜଗତସିଂହପୁର ଜିଲ୍ଲାପାଳ ପାରୁଲ୍ ପଟ୍ଟୱାରୀ । ଏହି ଦୁଇ ଜିଲ୍ଲାପାଳ ଦୁଇ ଜିଲ୍ଲାର ନିର୍ବାଚନ ଅଧିକାରୀ ଥିବା ବେଳେ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ପକ୍ଷପାତିତା କାର୍ଯ୍ୟ କରୁଥିବା ନେଇ ବିରୋଧୀଙ୍କ ପକ୍ଷରୁ ମୁଖ୍ୟ ନିର୍ବାଚନ କମିସନ୍ଙ୍କ ନିକଟରେ ଆପତ୍ତି କରାଯାଇଥିଲା । ୨୦୦୪ର ବରିଷ୍ଠ ଆଇପିଏସ୍ ଆଶିଷ ସିଂହ ଅଧୁନା ଭୁବନେଶ୍ୱର ଏସ୍ଏଫ୍ଏଲ୍ ଅଫିସ୍ ସମେତ କଟକ ଆଇଜି ଅଫିସ୍ ସମ୍ଭାଳୁଛନ୍ତି । ସେହିପରି କଟକ ଏସ୍ପି ଥିବା କନୱର ବିଶାଲ ସିଂଙ୍କୁ ପୁରୀରୁ ନିକଟରେ କଟକ ବଦଳି କରାଯାଇଥିଲା । କଟକ ଜିଲ୍ଲାପାଳ ଥିବା ବିନିତ୍ଙ୍କ ସମେତ ଅନ୍ୟ ଆଇଏଏସ୍ ଅଧିକାରୀଙ୍କୁ ନିକଟରେ ବଦଳି କରାଯାଇଥିବା ବେଳେ କେବଳ ପାରୁଲ ପଟୱାରୀ ୨ ବର୍ଷରୁ ଅଧିକ କାଳ ଜଗତସିଂହପୁରରେ ଜିଲ୍ଲାପାଳ ଭାବେ ଅବସ୍ଥାପିତ ଅଛନ୍ତି ।
ଅଧିକ ପଢ଼ନ୍ତୁ : ଦୁଇ ଗୋଟି ହତ୍ୟାକାଣ୍ଡ ଘଟଣାର ପର୍ଦ୍ଧାଫାଶ କଲା ପୋଲିସ