ନୂଆଦିଲ୍ଲୀ: ଦେଶର ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପ ଅହମ୍ମଦାବାଦ-ମୁମ୍ବାଇ ହାଇସ୍ପିଡ ରେଲ କରିଡରକୁ ଚାରି ବର୍ଷରୁ ଅଧିକ ବିଳମ୍ବ କାରଣରୁ ଖର୍ଚ୍ଚ ବୃଦ୍ଧି ପାଇ ଚାଲିଛି । ଏବେ ଏହି ପ୍ରକଳ୍ପର ଆନୁମାନିକ ବଜେଟ୍ ପାଖାପାଖି ୧.୯୮ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଯାଇଛି, ଯାହା ପ୍ରାରମ୍ଭିକ ମଞ୍ଜୁର ମିଳିଥିବା ବଜେଟର ୮୩ ପ୍ରତିଶତ ଅଧିକ । ପ୍ରଥମେ ଏହି ପ୍ରକଳ୍ପ ପାଇଁ ୧.୧ ଲକ୍ଷ କୋଟି ଟଙ୍କାର ବଜେଟକୁ ମଞ୍ଜୁରୀ ମିଳିଥିଲା ।
ନ୍ୟାସନାଲ ହାଇ ସ୍ପିଡ ରେଲ କର୍ପୋରେସନ ଲିମିଟେଡ ଦ୍ୱାରା ଜାରି ଏହି ମହତ୍ୱାକାଂକ୍ଷୀ ପ୍ରକଲ୍ପକୁ ନେଇ ସରକାରଙ୍କ ଦ୍ୱାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ରେଲେଓ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ସତୀଶ କୁମାର କହିଛନ୍ତି, ସଂଶୋଧିତ ବଜେଟକୁ ନେଇ ଚୂଡାନ୍ତ ମଞ୍ଜୁରୀ ଏବେ ବି ବାକି ରହିଛି । ବଜେଟ୍ ପାଖାପାଖି ୧.୯୮ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ଗଲାଣି । ଏହାକୁ ନେଇ ସମୀକ୍ଷା କରାଯାଉଛି ଏବଂ ଏହାକୁ ଦୁଇ ତିନି ମାସରେ ଚୂଡାନ୍ତ ରୂପ ଦିଆଯିବ ।
ସମୟ ଓ ବଜେଟ୍ ବଢିବାର କାରଣ
ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟ ମୁତାବକ, ପ୍ରକଳ୍ପରେ ବିଳମ୍ବ ଓ ଖର୍ଚ୍ଚ ବଢିବା ପଛରେ ଅନେକ କାରଣ ରହିଛି । ଏଥିରେ ଜମି ଅଧିଗ୍ରହଣରେ ବିଳମ୍ବତା, ଆଇନ/ବୈଧାନିକ ମଞ୍ଜୁରୀରେ ସମୟ ଲାଗିବା ଓ ରୋଲିଂ ଷ୍ଟକର ଅନ୍ତିମ ଚୟନରେ ହେଉଥିବା ବିଳମ୍ବ ପ୍ରମୁଖ କାରଣ । ରେଲେଓ ଅନୁସାରେ ୨୦୨୫ ନଭେମ୍ବର ୩୦ ସୁଦ୍ଧା ପ୍ରକଳ୍ପର ଭୌତିକ ପ୍ରଗତି ୫୫.୬ ପ୍ରତିଶତ ଓ ବିତ୍ତୀୟ ପ୍ରଗତି ୬୯.୯ ପ୍ରତିଶତ ରହିଥିଲା । ଏହି ଅବଧି ସୁଦ୍ଧା ୮୫ ହଜାର ୮୦୧ କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ମାସରେ ରେଲେଓ ମନ୍ତ୍ରଣାଳୟର କାର୍ଯ୍ୟର ସମୀକ୍ଷା କରିବା ସମୟରେ ଦ୍ରୁତ ଗତିରେ ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Also read: ଦୃଶ୍ୟମାନତା ୧୦ ମିଟର: ଉତ୍ତର ଭାରତର ୧୯ଟି ଜିଲ୍ଲାରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଖସିଗଲା