ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସହମତିରେ ଚାଲିଥିବା ସଂପର୍କକୁ ନେଇ ଯୁବକଙ୍କ ବିରୋଧରେ ରୁଜୁ ଦୁଷ୍କର୍ମ ଓ ଜାଲିଆତି ମାମଲା ଖାରଜ କରିଛନ୍ତି। ଏଥିସହ ଅଦାଲତ ଏମିତି ମାମଲାରେ ଆଇନର ଦୁରୁପଯୋଗ କରି ସହମତି ଆଧାରରେ ସଂପର୍କକୁ ଅପରାଧର ରୂପ ଦେବା ନେଇ ବଢୁଥିବା ପ୍ରବୃତ୍ତି ଉପରେ ଚିନ୍ତା ବ୍ୟକ୍ତ କରିଛନ୍ତି।
ବିଚାରପତି ବିଭି ନାଗରତ୍ନା ଓ ବିଚାରପତି ଏନ କୋଟିସ୍ଵର ସିଂଙ୍କ ପୀଠ ମାମଲାର ଶୁଣାଣି କରି କହିଛନ୍ତି, ଦୀର୍ଘ ସମୟ ଧରି ଚାଲି ଆସିଥିବା ଶାରୀରିକ ସମ୍ବନ୍ଧକୁ ଆଇନର କାଠ ଗଡ଼ାକୁ ଟାଣି ଏହାକୁ ଅପରାଧ ବିବେଚନା କରିବା ଚିନ୍ତାର ବିଷୟ। ଏଥିରେ ଗମ୍ଭୀର ସାମାଜିକ ଓ ଆଇନଗତ ପରିଣାମ ହୋଇପାରେ। ପୀଠ କହିଛନ୍ତି, ସହମତି ଆଧାରରେ ରଖାଯାଉଥିବା ସଂପର୍କରେ ଯେବେ ଫାଟ ସୃଷ୍ଟି ହେଉଛି ଏହାକୁ ଅପରାଧିକ ମାମଲାର ରୂପ ଦେବାକୁ ଚେଷ୍ଟା କରାଯାଉଛି। ଆଉ ଯୁବକମାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଅଣାଯାଉଛି।
ବମ୍ବେ ହାଇକୋର୍ଟର ୨୦୧୮ର ଆଦେଶ ବିପକ୍ଷରେ ଦାଖଲ ଯାଚିକା ଉପରେ ଶୁଣାଣି କରି ଉପରୋକ୍ତ ଟିପ୍ପଣୀ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ ଅଭିଯୁକ୍ତ ଜଣକ ନିଜ ବିରୋଧରେ ରୁଜୁ ମାମଲା ରଦ୍ଦ କରିବାକୁ ଦାବି କରିଥିଲେ। ଅଭିଯୋଗକାରୀ ମହିଳା ଅଭିଯୋଗ କରିଥିଲେ ଯେ, ବିବାହର ପ୍ରତିଶ୍ରୁତି ଦେଇ ତାଙ୍କ ସହିତ ବାରମ୍ବାର ଯୌନ ଶୋଷଣ କରାଯାଇଛି।
ତେବେ ସୁପ୍ରିମକୋର୍ଟ ଜାଣିବାକୁ ପାଇଲେ ଯେ, ମହିଳା ଜଣକ ଦୀର୍ଘ ୯ ରର୍ଷ ଧରି ବିନା ବିବାହର ସର୍ତ୍ତରେ ଅଭିଯୁକ୍ତଙ୍କ ସମ୍ବନ୍ଧରେ ରହିଥିଲେ। ଏଥିରୁ ସ୍ପଷ୍ଟ ଯେ, ସଂପର୍କ ସହମତିରେ ହୋଇଥିଲା ଏବଂ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବାର ଅଭିଯୋଗରେ କୌଣସି ଦମ୍ ନାହିଁ। ତେଣୁ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ ବିରୋଧରେ ରୁଜୁ ଏଫଆଇଆର ରଦ୍ଦ କରିବାକୁ ଆଦେଶ ଦେଇଛନ୍ତି।