ଶିମଲା: ଦେଶବ୍ୟାପି ଲଗାଣ ବର୍ଷା, ବନ୍ୟା ଓ ଭୂସ୍ଖଳନର ସମସ୍ତ ଖବର ସାମ୍ନାକୁ ଆସୁଥିବା ବେଳେ ଏବେ ହିମାଚଳ ପ୍ରଦେଶରୁ ଏକ ବଡ଼ଖବର ସାମ୍ନାକୁ ଆସିଛି। ଶିମଲାଠାରୁ ୧୦୦ କିଲୋମିଟର ଦୂର ରାମପୁରର ଝାକ୍ରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛ। ଏହି ବନ୍ୟାରେ ୨୦ ଜଣ ନିଖୋଜ ଥିବା ସୂଚନା ମିଳିଛି। ଡେପୁଟି କମିସନର ଅନୁପମ କଶ୍ୟପ କହିଛନ୍ତି ଯେ ଘଟଣା ସମ୍ପର୍କରେ ଖବର ମିଳିବା ମାତ୍ରେ ଏନଡିଏସଆରଏଫ ଟିମ୍, ପୁଲିସ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ଯାତ୍ରା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବର୍ଷା ପରେ ଭୂସ୍ଖଳନ ଯୋଗୁ ୨୦ ଜଣ ନିଖୋଜ ଅଛନ୍ତି। ରାମପୁର ଏସଡିଏମ ନିଶାନ୍ତ ତୋମାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଅନେକ ସ୍ଥାନରେ ରାସ୍ତା ବନ୍ଦ ଥିବାରୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ଉପକରଣ ନେଇ ଘଟଣାସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରାଯାଉଛି। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ଡେପୁଟି କମିସନର ଅନୁପମ କଶ୍ୟପ କହିଛନ୍ତି। ଉଦ୍ଧାରକାରୀ ଦଳରେ ଆଇଟିବିପି, ସ୍ପେଶାଲ ହୋମଗାର୍ଡର ଏକ ଟିମ୍ ମଧ୍ୟ ସାମିଲ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସମସ୍ତ ଟିମ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ମଣ୍ଡି ଜିଲ୍ଲା ଦ୍ରାଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାମଚାୟନ ପଞ୍ଚାୟତର ରାଜବନ ଗ୍ରାମରେ ମଧ୍ୟରାତ୍ରିରେ ପ୍ରବଳ ବର୍ଷା ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତଦେହ ଉଦ୍ଧାର କରାଯାଇଛି। ପାଣିର ପ୍ରବଳ ସ୍ରୋତରେ ଅନେକ ଘର ଭାସି ଯାଇଛି। ୧୧ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଦୁର୍ଗମ ଅଞ୍ଚଳ ଯୋଗୁଁ ପ୍ରଶାସନ ପକ୍ଷରୁ ଟିକ୍କାନ ଉପତହସିଲର ପଞ୍ଚାୟତ ପ୍ରତିନିଧି ଓ ଅଧିକାରୀଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ। ମୋବାଇଲ୍ ସେବା ବନ୍ଦ ହୋଇଯାଇଛି। ଲିଙ୍କ୍ ରୋଡ୍ ମଧ୍ୟ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ସେହିପରି କୁଲ୍ଲୁରେ ମଧ୍ୟ ପ୍ରବଳ ବର୍ଷା ଓ ଭୂସ୍ଖଳନ ହୋଇଛି। ଗୋଟିଏ ପରିବାରର ୪ ଜଣ ନିଖୋଜ ଅଛନ୍ତି। ଉଦ୍ଧାରକାରୀ ଟିମ୍ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।