ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ନଭେମ୍ବର ୧ ତାରିଖରେ ରାଜ୍ୟରେ ସ୍ଥାପନା ଦିବସ ଉପଲକ୍ଷେ କନ୍ନଡ ପତାକା ଉଡାଇବା ବାଧ୍ୟତାମୂଳକ କରିଛନ୍ତି । ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର କହିଛନ୍ତି, ରାଜ୍ୟର ସ୍ଥାପନା ଦିବସରେ ବେଙ୍ଗାଲୁରୁରେ ସମସ୍ତ ସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ କାରଖାନାରେ କନ୍ନଡ ପତାକା ଉଡାଯିବ । ସେ ଏହା ମଧ୍ୟ କହିଛନ୍ତି, ବେଙ୍ଗାଲୁରୁ ସହର ଓ ଜିଲ୍ଲାରେ ପାଖାପାଖି ୫୦ ପ୍ରତିଶତ ଅନ୍ୟ ରାଜ୍ୟର ଲୋକ ରହୁଛନ୍ତି । ସେମାନଙ୍କୁ ମଧ୍ୟ କନ୍ନଡ ଶିଖିବା ଉପରେ ପ୍ରାଥମିକତା ଦେବା ଉଚିତ୍ ।
ଶିବକୁମାର କହିଛନ୍ତି, ଆମେ ମହୀଶୂର ରାଜ୍ୟର ନାମ ପରିବର୍ତ୍ତନ କରାଯାଇ କର୍ଣ୍ଣାଟକ ରଖାଯିବାର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉତ୍ସବ ପାଳନ କରୁଛୁ । ନଭେମ୍ବର ୧ ତାରିଖ କନ୍ନଡ ଲୋକଙ୍କ ପାଇଁ ଉତ୍ସବର ଦିନ । ଏହି ଦିନ ସ୍କୁଲ କଲେଜଠୁ ନେଇ ଶିଳ୍ପ କାରଖାନା ସବୁଠି କନ୍ନଡ ପତାକା ଉଡାଯିବା ଉଚିତ୍ । ଏହି ସମ୍ବନ୍ଧରେ ଆଦେଶ ଜାରି କରାଯାଇଛି ।
ଉପରାଜ୍ୟପାଳ କହିଛନ୍ତି, ରାଜ୍ୟ ଉତ୍ସବର ସରକାରୀ ସମାରୋହ ଗୋଟିଏ ସ୍ଥାନରେ ଆୟୋଜିତ କରାଯିବ । ମାତ୍ର ଘରୋଇ ଓ ସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଏହି ଉତ୍ସବ ପାଳନ କରାଯିବା ଜରୁରୀ । ପ୍ରତ୍ୟେକ ବ୍ୟକ୍ତି ଏହା ହୃଦବୋଧ କରିବା ଉଚିତ୍ ଯେ, କର୍ଣ୍ଣାଟକରେ କନ୍ନଡ ନ ଜାଣି ରହି ହେବ ନାହିଁ । ନଭେମ୍ବର ୧ରେ ସ୍କୁଲ ଓ କଲେଜରେ କନ୍ନଡ ପତାକା ଉତ୍ତୋଳନ କରାଯିବା ସହିତ ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ଉଚିତ୍ । ସ୍କୁଲମାନଙ୍କରେ କନ୍ନଡ ଭାଷା ବାଧ୍ୟତାମୂଳକ କରାଯାଇଥିବା ଶିବକୁମାର କହିଛନ୍ତି ।