ବିମାନବନ୍ଦର ପରେ ସ୍କୁଲକୁ ମିଳୁଛି ବୋମା ଧମକ । ପ୍ରଥମେ ଦେଶର ବିମାନବନ୍ଦରକୁ ବୋମା ଧମକ ମିଳିଥିଲା ତା ପରେ ଦିଲ୍ଲୀର ଏକାଧିକ ସ୍କୁଲକୁ ଆଉ ଏବେ ଗୁଜରାଟର ଅହମ୍ମଦାବାଦରେ ଥିବା ଏକରୁ ଅଧିକ ସ୍କୁଲକୁ ମିଳିଛି ବୋମା ଧମକ । ସୂଚନା ଅନୁସାରେ, ଗୁଜରାଟର ଅହମ୍ମଦାବାଦରେ ଥିବା ପ୍ରାୟ ୭ ଟି ସ୍କୁଲକୁ ଧମକପୂର୍ଣ୍ଣ ମେଲ୍ ମିଳିଛି । ମେଲ୍ ଆସିଥିବା ସମସ୍ତ ସ୍କୁଲରେ ବୋମା ରଖାଯାଇଛି ବୋଲି ଦର୍ଶାଯାଇଥିଲା । ଏହି ଘଟଣାରେ ସ୍କୁଲରେ ଆତଙ୍କ ଖେଳିଯାଇଥିଲା । ସ୍କୁଲର କର୍ମଚାରୀମାନେ ବୋମା ଅନୁସନ୍ଧାନକାରୀ ଏବଂ ନିଷ୍କ୍ରିୟକାରୀ ଦଳକୁ ଖବର ଦେଇଥିଲେ । ଖବର ପାଇ, ବୋମା ଅନୁସନ୍ଧାନକାରୀ ଏବଂ ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ସ୍କୁଲରେ ବୋମାର ଯାଞ୍ଚ କରିଥିଲା । କିନ୍ତୁ ବୋମାର କୌଣସି ସନ୍ଧାନ ମିଳିନଥିଲା । କିଏ ଓ କେଉଁ କାରଣରୁ ଏପରି ଇ ମେଲ ପଠାଉଛି ପୋଲିସ ତାର ତଦନ୍ତ କରୁଛି ।