ଜୟପୁର: ରାଜସ୍ଥାନର ଅନେକ ରେଳ ଷ୍ଟେସନ ଏବଂ ଅନ୍ୟାନ୍ୟ ସ୍ଥାନରେ ବୋମା ଧମକ ଦିଆଯାଇଛି। ହନୁମାନଗଡ଼ ରେଳ ଷ୍ଟେସନରୁ ଏହି ଧମକପୂର୍ଣ୍ଣ ଚିଠି ମିଳିଛି। ହନୁମାନଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ୟାରେ ଲାଲ ମୀନା କହିଛନ୍ତି ଯେ ଡାକ ମାଧ୍ୟମରେ ହନୁମାନଗଡ଼ ଷ୍ଟେସନ ମାଷ୍ଟରଙ୍କୁ ଚିଠି ଦିଆଯାଇଥିଲା ଏବଂ ମଙ୍ଗଳବାର ସନ୍ଧ୍ୟାରେ ଏ ସମ୍ପର୍କରେ ସ୍ଥାନୀୟ ପୁଲିସକୁ ଅବଗତ କରାଯାଇଥିଲା।
ଜୈଶ-ଏ-ମହମ୍ମଦ ନାମରେ ପଠାଯାଇଥିବା ଏହି ଚିଠିରେ ଧମକ ଦିଆଯାଇଛି ଯେ ଅକ୍ଟୋବର ୩୦ ରେ ରେଳ ଷ୍ଟେସନ ଏବଂ ଗଙ୍ଗାନଗର, ହନୁମାନଗଡ଼, ଯୋଧପୁର, ବିକାନେର, କୋଟା, ବୁନ୍ଦି, ଉଦୟପୁର, ଜୟପୁରରେ ଥିବା ସ୍ଥାନକୁ ବୋମା ମାଡ଼ କରାଯିବ।
ଜୈଶ-ଏ-ମହମ୍ମଦ ହେଉଛି ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନ। ସରକାରୀ ରେଳବାଇ ପୁଲିସ (ଜିଆର୍ପି), ସ୍ଥାନୀୟ ପୁଲିସ ଓ ବିଏସ୍ଏଫ୍ ଯବାନମାନେ ଚଢ଼ଉ କରିଥିଲେ। ଜିଆରପି ଥାନାରେ ଏକ ମାମଲା ରୁଜୁ କରାଯାଇ ପ୍ରେରଣକାରୀଙ୍କୁ ଖୋଜିବା ପାଇଁ ତଦନ୍ତ ଜାରି ରହିଛି।
ସୂଚନାଯୋଗ୍ୟ, ରାଜସ୍ଥାନରେ ଏଭଳି ଧମକପୂର୍ଣ୍ଣ ମେଲ୍ ଓ ଚିଠି ପୂର୍ବରୁ ଅନେକ ଥର ଆସିସାରିଛି। ଏହା ପୂର୍ବରୁ ଜୟପୁରର ସ୍କୁଲ ଓ ହସ୍ପିଟାଲକୁ ବୋମା ମାଡ଼ ଧମକ ମିଳିଥିଲା। ଦୁଇ ମାସ ତଳେ ଜୟପୁରର ମଲ୍ ଓ ବିମାନବନ୍ଦରକୁ ବୋମା ମାଡ଼ ଧମକ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ୯୦୦ରୁ ଅଧିକ କର୍ମଚାରୀଙ୍କୁ ଅଟକ ରଖିଲା ପୁଲିସ