ନାରାୟଣପୁର: ଛତିଶଗଡରେ ମାଓବାଦୀ ବିରୋଧୀ ଅପରେସନରେ ସୁରକ୍ଷାବଳକୁ ଶୁକ୍ରବାର ବଡ ସଫଳତା ମିଳିଛି । ରାଜ୍ୟର ନାରାୟଣପୁର ଜିଲ୍ଲାରେ ମାଓବାଦୀଙ୍କ ସହ ସୁରକ୍ଷାବଳର ଗୁଳି ବିନିମୟରେ ଛଅ ମାଓବାଦୀ ନିହତ ହୋଇଛନ୍ତି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଅବୁଝମାଡ ଜଙ୍ଗଲରେ ଅପରାହ୍ଣରେ ମାଓବାଦୀ ଓ ସୁରକ୍ଷାବଳ ମୁହାଁମୁହିଁ ହୋଇଥିଲେ । ମୃତକ ମାଓବାଦୀଙ୍କ ନିକଟରୁ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦ ଜବତ ହୋଇଛି ।
ପୋଲିସ ଅଧିକାରୀ କହିଛନ୍ତି ଯେ, ସୁରକ୍ଷାବଳର ମିଳିତ ଟିମକୁ ଗୁଇନ୍ଦା ସୂତ୍ରରୁ ଖବର ମିଳିଥିଲା ଯେ, ଅବୁଝମାଡ ଜଙ୍ଗଲରେ ବଡ ସଂଖ୍ୟାରେ ମାଓବାଦୀଙ୍କ ଗତିବିଧି ଦେଖିବାକୁ ମିଳିଛି । ଏହା ପରେ ରାଜ୍ୟ ପୋଲିସ ଓ ସୁରକ୍ଷାବଳ ମିଳିତ ଭାବେ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ମାଓବାଦୀଙ୍କୁ ଆତ୍ମ ସମର୍ପଣ କରିବାକୁ କୁହାଯାଇଥିଲା । ମାତ୍ର ମାଓବାଦୀ ଗୁଳିମାଡ ଆରମ୍ଭ କରିଥିଲେ । ସୁରକ୍ଷାବଳର ପାଲଟା ଜବାବରେ ଛଅ ମାଓବାଦୀ ନିହତ ହୋଇଛନ୍ତି ।
ମାଓବାଦୀଙ୍କ ନିକଟରୁ ଏକେ ୪୭, ଏସଏଲଆର ରାଇଫଲ, ଅନ୍ୟ ଘାତକ ମାରଣାସ୍ତ୍ର, ବିସ୍ଫୋରକ ସାମଗ୍ରୀ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ ହୋଇଛି ।
ଉଲ୍ଲେଖନୀୟ ଗତ କିଛି ମାସ ହେବ ଛତିଶଗଡରେ ସୁରକ୍ଷାବଳ ପକ୍ଷରୁ ମାଓବାଦୀ ବିରୋଧି ଅଭିଯାନ ଜୋରସୋରରେ ଚାଲିଛି । ସୁରକ୍ଷାବଳର କଡା ପ୍ରହାରରେ ମାଓବାଦୀଙ୍କ ଶକ୍ତି ଲଗାତାର ହ୍ରାସ ପାଇବାରେ ଲାଗିଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରି ସାରିଛନ୍ତି ଯେ, ମୌସୁମୀ ସମୟରେ ବି ସୁରକ୍ଷାବଳଙ୍କ ମାଓ ବିରୋଧୀ ଅପରେସନ ଜାରି ରହିବ ।